ମାହାଙ୍ଗା ଡବଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ଗାଡ଼ି ଧକ୍କାରେ ମୃତ୍ୟୁ

କଟକ, ୬/୨ : ବହୁ ଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଫେରାର୍‌ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ଅଜଣାଗାଡ଼ି ଧକ୍କାରେ ସଂଦେହଜନକ ଭାବେ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ନୂଆବନ୍ଦାଳ ଛକରେ ଅଜଣାଗାଡ଼ି ଧକ୍କାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି । ତେବେ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନେଇ ନାନା ସଂଦେହ ସୃଷ୍ଟି ହୋଇଛି । ରାସ୍ତାକଡ଼ରେ ଅକ୍ଷତ ଅବସ୍ଥାରେ ପ୍ରଫୁଲ୍ଲଙ୍କ ବାଇକ୍‌ ଥୁଆ ହୋଇଥିବା ବେଳେ, ସେଥିରେ ହେଲମେଟ୍‌ ରଖାଯାଇଛି, ଆଉ ଏକ ବ୍ୟାଗ୍‌ରେ ପ୍ରଫୁଲ୍ଲଙ୍କ ମୋବାଇଲ, ଗାଡ଼ି କାଗଜପତ୍ର ଓ ଡ୍ରେସ୍‌ ମିଳିଛି ।

 

ଏଠି ପ୍ରଶ୍ନ ଉଠୁଛି ଯଦି ଦୁର୍ଘଟଣାରେ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ହୋଇଛି ତାହେଲେ, ରାସ୍ତା କଡ଼ରେ ଅକ୍ଷତ ଅବସ୍ଥାରେ ତାଙ୍କର ବାଇକ୍‌, ହେଲମେଟ୍‌, ମୋବାଇଲ୍‌ ଫୋନ୍‌ ରହିଲା କେମିତି ? ଏସବୁ ଛାଡ଼ି କେମିତି କୌଣସି ଗାଡ଼ି ସାମ୍ନାକୁ ଆସିଲେ ପ୍ରଫୁଲ୍ଲ ? ନା’ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ? କେହି ତାଙ୍କୁ ସେଠାରେ ଅଟକାଇ ହତ୍ୟା କରିବା ପରେ କୌଣସି ଗାଡ଼ି ସାମ୍ନାକୁ ଫିଙ୍ଗି ଦେଇନାହାନ୍ତି ତ ?

ଗତ ଜାନୁଆରୀ ୨ରେ ଦୁଇ ବରିଷ୍ଠ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରାଜନୈତିକ ଆକ୍ରୋଶରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ଏହି ଘଟଣାରେ ଟାଙ୍ଗୀ ପୋଲିସ ୧୦ଜଣଙ୍କୁ ଗିରଫ କରିଛି ।