ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିର ପାଲଟା ଜବାବ : ବିଜେପି ଶସ୍ତା ରାଜନୀତି କରୁଛି

ଭୁବନେଶ୍ୱର,୫ /୧: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ବିଜେପି ରାଜ୍ୟର ବିଭିନ୍ନସ୍ଥାନରେ ବିକ୍ଷୋଭ ସହ ଥାନା ଘେରାଉ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡ଼ି । ଦଳର ମୁଖପାତ୍ର ସୁଲତା ଦେଓ କହିଛନ୍ତି ବିଜେପି ଶସ୍ତା ରାଜନୀତି କରୁଛି ।

ସୁଲତା କହିଛନ୍ତି ଯେ, ଓଡିଶା ବିଜେପି ଅତୀତରେ କୁନ୍ଦୁଲି ଏବଂ ରାୟଗଡାର ଟିକିରି ଘଟଣାରେ ଏଭଳି ମିଥ୍ୟା ଆରୋପ ଲଗାଇଥିଲା । ଟିକିରି ଘଟଣାରେ ଯାହାକୁ ସେମାନେ ଅଭିଯୁକ୍ତ ବୋଲି ଦର୍ଶାଉଥିଲେ ପରବର୍ତ୍ତୀ ସମୟରେ ତାହାକୁ ଦଳୀୟ ଟିକଟ ଦେଇ ନିର୍ବାଚନ ଲଢାଇଥିଲେ।

ନୟାଗଡ ପରୀ ଘଟଣାରେ ବିଜେପି ଏବେ ଏସ୍‍ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି। ନାର୍କୋ ଟେଷ୍ଟ କାହିଁକି କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି। ତେବେ ବିଜେପି କ’ଣ ଏସ୍‍ଆଇଟି ମୁଖ୍ୟ ହୋଇ କେଉଁ ପ୍ରକାର ପରୀକ୍ଷା କରାଯିବ ଓ କରାନଯିବ ତାହା ସ୍ଥିର କରିବ କି ପ୍ରଶ୍ନ କରିବା ସହ ବିଜେପି ନିକଟରେ କିଛି ଠୋସ୍‍ ପ୍ରମାଣ ଅଛି ତେବେ ଅଦାଲତରେ ତାହାକୁ ଉପସ୍ଥାପନ କରୁ ବୋଲି ସୁଲତା କହିଛନ୍ତି ।

ଓଡିଶାବାସୀ ବିଜେପିର ମିଥ୍ୟା ଅଭିଯୋଗ ଓ ଶସ୍ତା ରାଜନୀତିକୁ ଭଲ ଭାବେ ବୁଝିବା ସହିତ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳକୁ ତାହାର ପ୍ରମାଣ ଦେଉଛନ୍ତି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଆସାମୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଯାହା ଫଳରେ ମୃତକଙ୍କ ପରିବାର ନ୍ୟାୟ ପରିପାରିବେ। ଏଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।