ଆସନ୍ତା ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର, ୧୩/୧୦ : ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି ।

୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ପାଳିଆ ଖଣ୍ଟୁଆ, ଗରାବଡୁ, ୩ ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି। ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି । ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ।

SBI_Festive_Digital Billboard