ଭୁବନେଶ୍ୱର, ୦୬/୦୮ : ଏଣିକି ଶ୍ରୀମନ୍ଦିରରେ ମହାପ୍ରସାଦ କିଣିବା ବେଳେ ଆଉ ଠକାମୀର ଶିକାର ହେବେ ନାହିଁ ଭକ୍ତ । ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ। ଭକ୍ତ ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ବେଳେ ଯେପରି ଠକାମୀର ଶିକାର ହେବେ ନାହିଁ, ସେନେଇ ଦର ମଧ୍ୟ ନିର୍ଦ୍ଧାରିତ କରାଯିବ । ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ସଂକ୍ରାନ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ବ୍ୟତୀତ ଅନ୍ୟ ଘିଅ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଆର ମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେଲେ ଆନନ୍ଦବଜାରରେ ଶୃଙ୍ଖଳା ଆସିପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଦୈନିକ ୩୫ କୁଇଣ୍ଟାଲ କାଠ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ବେଳେ ଆଗକୁ ଏହାର ପର୍ଯ୍ୟାପ୍ତ ପରିମାଣ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଜୈବିକ ଚାଉଳରେ ଅନ୍ନ ରନ୍ଧନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ବେଳେ କୋଠଭୋଗ ସହ ମହାପ୍ରସାଦ ବିକ୍ରି ପାଇଁ ଏହାର ଅଧିକ ଆବଶ୍ୟକତା ରହିଥିବା ସୁଆରମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ଆଗରେ ଉପସ୍ଥାପନା କରିଛି ।