ମୁମ୍ବାଇ,୩୦/୬ : ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ଆଜି ଅପରାହ୍ନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଫଡନାବୀସ୍ ଓ ଶିବେସନାର ବିଦ୍ରୋହୀ ବିଧାୟକ ଏକନାଥୀ ସିନ୍ଦେ । ରାଜ୍ୟରେ ନୂଆ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି ଉଭୟ ନେତା ।
ମିଳିଥିବା ଖବର ଅନୁଯାୟୀ, ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଏହାପରେ ବିଜେପି ପୁରା ଆକ୍ସନକୁ ଆସିଯାଇଛି । ରାଜ୍ୟରେ ତୁରନ୍ତ ସରକାର ଗଢିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରଦେଇଛି । ଏନେଇ ଗୁରୁବାର ଅପରାହ୍ନ ୩ଟାରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ସାକ୍ଷାତ କରିପାରନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବୀସ୍ । ଉଭୟ ସରକାର ଗଢିବାକୁ ଦାବି କରିପାରନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାବୀସ୍ । ସେହିପରି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଏକନାଥ ସିନ୍ଦେ । କ୍ୟାବିନେଟ୍ରେ ବିଜେପି ୨୯ ଜଣ ମନ୍ତ୍ରୀ ହେବାକୁ ଥିବା ବେଳେ ଶିବସେନାର ବିଗୀ ବିଧାୟକଙ୍କ ମଧ୍ୟରୁ ୧୨ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।