ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନରେ ମୁହାଁମୁହିଁ ହେବେ ଏନଡିଏ ଓ ମହାବିକାଶ ଅଘାଡି : ସିନ୍ଦେଙ୍କ ପାଇଁ ଅଗ୍ନିପରୀକ୍ଷା
ନୂଆଦିଲ୍ଲୀ,୩/୭: ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ। ବିଧାନସଭା ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲ୍ ଭୀ ଓ ବିଜେପି ବିଧାୟକ ରାହୁଲ ନାର୍ଭେକରଙ୍କ ମଧ୍ୟରେ ମୁକାବିଲା ହେବ । ଏନଡିଏ ତରଫରୁ ବିଧାୟକ ରାହୁଲ ନାର୍ଭେକର ଓ ମହା ବିକାଶ ଅଘାଡି ଶିବସେନା ବିଧାୟକ ରାଜନ ସାଲଭୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ବାଚସ୍ପତି ନିର୍ବାଚନ ପଦ ପାଇଁ ସାଲ୍ ଭିଙ୍କୁ ବିରୋଧୀ ପ୍ରାର୍ଥୀ କରାଯାଇଛି। ସାଲ୍ ଭି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଜୟନ୍ତ ପାଟିଲ, ଧନଂଜୟ ମୁଣ୍ଡେ (ଏନ୍ ସିପି), ଅଶୋକ ଚହ୍ବାନ (କଂଗ୍ରେସ), ସୁନୀଲ ପ୍ରଭୁ (ଶିବସେନା) ଉପସ୍ଥିତ ଥିଲେ। ନିର୍ବାଚନକୁ ନେଇ ଶିବସେନା ଗୋଷ୍ଠୀର ସଚେତକ ସୁନୀଲ ପ୍ରଭୁ ବିଧାୟକଙ୍କୁ ହୁଇପ୍ ଜାରି କରିଦେଇଛନ୍ତି ।
ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁଲାଇ ୩ ଏବଂ ୪ ତାରିଖରେ ୨ ଦିନିଆ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଆଜି ବାଚସ୍ପତି ନିର୍ବାଚନ ଥିବାବେଳେ ଆସନ୍ତାକାଲି ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ତେଣୁ ଶକ୍ତି ପରୀକ୍ଷା ପୂର୍ବରୁ ଆଜି ଏକନାଥ ଶିନ୍ଦେଙ୍କ ପାଇଁ ‘ଅଗ୍ନିପରୀକ୍ଷା’ର ସମୟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସେମାନେ ଅତି ସହଜରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଏବଂ ବାଚସ୍ପତି ନିର୍ବାଚନ ମଧ୍ୟ ଜିତିବେ।