ବରଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୪ ମୃତ

ପ୍ରତାପଗଡ, ୨୦/୧୧ : ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଲଖନଉ-ପ୍ରୟାଗରାଜ ଜାତୀୟ ରାଜପଥ ମାଣିକପୁର ଥାନା ଅନ୍ତର୍ଗତ ଦେଶରାଜ ଇନାରା ଅଞ୍ଚଳରେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ ନିୟନ୍ତ୍ରଣ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁସାରେ ବରଯାତ୍ରୀ ନବାବଗଞ୍ଜ ଥାନା ଅଞ୍ଚଳର ଶେଖପୁର ଗାଁରେ ବିବାହ ସମାରୋହରେ ଯୋଗଦେଇ ଏକ ବୋଲେରୋରେ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍ ସହ ବୋଲେରୋ ଧକ୍କା ହୋଇଥିଲା । ମର୍ମନ୍ତୁଦ ଦୁର୍ଘଟଣା ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡିଛି । ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡିକୁ କାଟି ସମସ୍ତ ୧୪ ଜଣଙ୍କର ମୃତଦେହ ବାହାର କରିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ପୋଲିସ ସମସ୍ତ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ଯୋଗୀ କହିଛନ୍ତି, ମୃତକଙ୍କ ପରିବାର ଲୋକଙ୍କୁ ଯଥା ସମ୍ଭବ ଅନୁକମ୍ପା ପ୍ରଦାନ କରାଯିବ ।