ଅସହାୟା ବୃଦ୍ଧା ପାଇଁ ନିଜ ଖର୍ଚ୍ଚରେ ତୋଳାଇ ଦେଲେ ଘର : ମିଳୁଛି ପ୍ରସଂଶାର ସୁଅ

ମାଲକାନଗିରି,୨୬/୯ – ( କେଶବ ଚନ୍ଦ୍ର ନାୟକ ) : ଆଜି କାଲି ଯୁଗରେ ମଣିଷ ଯେତେ ଧନୀ ହେଲେ ମଧ୍ୟ୍ୟ ମୃତ୍ୟୁର ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ଯନ୍ତ ପରର ହିତ ପାଇଁ କାଣିଚାଏ ଦାନ ପୁଣ୍ୟ କରିବା ଅବା କାହାର ଅସହାୟରେ ସାହାଯ୍ୟ କରିବାକୁ ଇଛା ପ୍ରକଟ କରେ ନାହିଁ ।ଏମିକି ବି ସାଧାରଣ ଲୋକ ଅଛନ୍ତି ପର ଦୁଃଖରେ ଦୁଃଖି ହୋଇ ନିସ୍ବାର୍ଥ ପର ଭାବରେ ସମାଜ ସେବା କରିଥାନ୍ତି । ଅନ୍ୟକୁ ସହାୟତା କରି ନିଜକୁ ଆନନ୍ଦ ମନେ କରନ୍ତି । ଆଜି ବି ସ୍ୱାର୍ଥପର ଦୁନିଆରେ କିଛି ନିସ୍ଵାର୍ଥପର ଏବଂ ଦୟାଳୁ ହୃଦୟର ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁର୍ଦ୍ଦିନରେ ଠିଆ ହୋଇ ନିଜର ମାନବିକତାକୁ ପ୍ରତିପାଦିତ କରି ସମାଜରେ ଉଦାହରଣ ସାଜିଥାନ୍ତି । ସେମିତି ଜଣେ ସରକାରୀ ଚାକିରିଆ ମାଥିଲି ପଞ୍ଚାୟତର ପିଇଓ ଅଶୋକ ମହାରଣା ।

ଜଣେ ବୃଦ୍ଧା ପାଇଁ ନିଜ ହାତରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରି ନିର।ଶ୍ରୟ ପାଇଁ ନିର୍ମାଣ କରି ଦେଇଛନ୍ତି ଆଶ୍ରୟ ସ୍ଥଳୀ । ଯାହା କି ମାଲକାନଗିରି ଜିଲ୍ଲାରେ ତାଙ୍କ ମହାନତା ପାଇଁ ଆଜି ଚର୍ଚ୍ଚାରେ । ମାଥିଲି ଗ୍ରାମର ବନ୍ଧ ସାହିରେ କେ.ଲକ୍ଷ୍ମୀ (୬୫) ନାମକ ଜଣେ ମହିଳା ବସବାସ କରନ୍ତି । ଦିନେ ସେ ବ୍ୟବସାୟ ବାଣିଜ୍ୟ କରି ନିଜ ପରିବାର ସହ ହସଖୁସିରେ ରହୁଥିଲେ । ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେଲା ଆଖି ବୁଜି ଦେଲା ପରେ ବଞ୍ଚିବା କଷ୍ଟ ସାଧ୍ୟ । କିନ୍ତୁ ଲକ୍ଷ୍ମୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଝିଅକୁ ଜୟପୁରରେ ବିବାହ କରିବା ସହ ପୁଅକୁ ମଧ୍ୟ ବିବାହ କରି ଦେଲେ। ନିଜ ପୁଅ ମଦୁଆ ହୋଇ ଯିବା ଯୋଗୁଁ ତା ପତ୍ନୀ ସବୁ ଦିନ ପାଇଁ ପରିତ୍ୟାଗ କରି ନିଜ ବାପା ମାଆ ଘରକୁ ଚାଲିଗଲା । ବୟସର ଅପରାହ୍ନରେ ବିଧବା ଲକ୍ଷ୍ମୀ କାମ କି କୌଣସି ବ୍ୟବସାୟ କରିପାରୁନାହିଁ । ବେଳେବେଳେ ଲକ୍ଷ୍ମୀ ଜୟପୁର ଯାଇ ଝିଅ ପାଖରେ ରହୁଥିଲେ । ବିଧବା ଲକ୍ଷ୍ମୀଙ୍କ କିଛି ଆୟ ନ ଥିବାରୁ ପୁଅ, ଝିଅ, ଜ୍ୱାଇଁ ମଧ୍ୟ ଆଉ ପଚାରୁ ନାହାନ୍ତି ।ମଦୁଆ ପୁଅ ସମସ୍ତ ଘରର କରଣା ସାମଗ୍ରୀ ମଦ ପାଇଁ ବିକି ଦେଇଛି ।

ଲକ୍ଷ୍ମୀ ନିଜେ ଆଶ୍ରୟ ନେବା ପାଇଁ ଘର କି ଦ୍ବାର ନାହିଁ । ପେଟକୁ ଗଣ୍ଡେ ଆହାର ଯୋଗାଡ କରିବା ପାଇଁ ଅକ୍ଷମ । ଗତ ଦୁଇ ମାସ ତଳେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀ ଗୋଟିଏ ଫାଷ୍ଟ ଫୁଡ ଦୋକାନ ବ।ରଣ୍ଡାରେ ମୁଣ୍ଡ ଗୁଞ୍ଜି ଜୀବନ ଅତିବାହିତ କରୁଥିଲା । ଯେଉଁ ଦିନ ଯିଏ ଯାହା ଦେଉଥିଲେ ଖାଉଥିଲା, ନହେଲେ ଭୋକ ଉପାସରେ ପଡି ରହୁଥିଲା । ବିଧବ। ବୁଢି ସଂପର୍କରେ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଗତ ହେଲା ପରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇ ଦୀର୍ଘ ଦୁଇମାସ ହେବ ମାଥିଲି ପଞ୍ଚାୟତରେ ଆଶ୍ରୟ ଦିଆ ଯାଇ ଖାଦ୍ୟ ପାନୀୟର ବ୍ୟବସ୍ତା କରାଗଲା । ସରକାରୀ ଯୋଜନାରେ ବିଧବା ଲକ୍ଷ୍ମୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ନିର୍ମାଣ କରିବା ସମ୍ଭବ ହୋଇ ପାରି ନଥିଲା । ବୁଢିର ଶୋଚନୀୟ ଅବସ୍ଥା ସମ୍ପର୍କରେ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାରଣା ନିଜ ଧର୍ମ ପତ୍ନୀ ଝୁନୁ ମହାରଣାଙ୍କୁ କହିବା ପରେ ଅସହାୟ ବିଧବା ଲକ୍ଷ୍ମୀ ପାଇଁ ନିଜ ଖର୍ଚ୍ଚରେ ଗୋଟିଏ ଘର ତୋଳି ଦେବା ପାଇଁ ପରାମର୍ଶ ଦେଲେ । ନିଜ ପତ୍ନୀଙ୍କ କଥାକୁ ରଖି ଲକ୍ଷ୍ମୀ ପାଇଁ ନିଜ ଦରମାରୁ ୧୦ ଫୁଟରେ ୧୫ଫୁଟର ଘରଟିଏ ତୋଳି ଲକ୍ଷ୍ମୀ ମୁହଁରେ ହସ ଫୁଟାଇ ପାରିଛନ୍ତି । ଶୁକ୍ରବାର ଦିନ ସରପଞ୍ଚ ଗୌରୀ ବଟେ, ଜିଲ୍ଲା ପରିଷଦ ସଭ୍ୟ ଵାଲାରାଜୁ କୋପେ ଓ ପିଇଓ ଅଶୋକ ମହାରଣାଙ୍କ ଉପସ୍ଥିତିରେ ଲକ୍ଷ୍ମୀଙ୍କୁ ନୂତନ ଗୃହକୁ ପ୍ରବେଶ କରାଇଛନ୍ତି । ପିଇଓ ଅଶୋକ ମହାରଣା ଓ ତାଙ୍କ ପତ୍ନୀଝୁନୁ ମହାରଣାଙ୍କ ମହତ କାର୍ଯ୍ୟ ପାଇଁ ଏବେ ପ୍ରସଂଶାର ସୁଅ ଛୁଟିଛି ।