କୋଲକାତା,୪/୯ : ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ । ଓଡିଶାର ପିପିଲି ସମେତ ପଶ୍ଚିମବଙ୍ଗରେ ମଧ୍ୟ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ସମେତ ପଶ୍ଚିମବଙ୍ଗର ୩ଟି ବିଧାନସଭା ସିଟ୍ ପାଇଁ ଭୋଟ ଗ୍ରହଣ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାକୁ ଯିବା ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି ।
ପଶ୍ଚିମବଙ୍ଗର ଭବାନୀପୁର, ରାମଶେରଗଞ୍ଜ ଏବଂ ଜଙ୍ଗୀପୁର ସିଟ୍ରେ ଉପନିର୍ବାଚନ ହେବ । ସେହିଭଳି ଓଡିଶାର ପିପିଲି ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ନିର୍ବାଚନ ଆଚାର ସଂହିତା ଲାଗୁ ହୋଇଯାଇଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ପ୍ରାୟ ୩୧ଟି ବିଧାନସଭା ଏବଂ ୨ଟି ଲୋକସଭା ସିଟ୍ ଖାଲିଅଛି । ଏ ସବୁ ଆସନରେ ଉପନିର୍ବାଚନ ହେବ । କିନ୍ତୁ କରୋନା ସଂକ୍ରମଣ କାରଣରୁ ସମସ୍ତ ସିଟ୍ରେ ଉପନିର୍ବାଚନ ନକରି ପଶ୍ଚିବଙ୍ଗ ସରକାରଙ୍କ ବିଶେଷ ଅନୁରୋଧ କ୍ରମେ ସେଠାକାର ୩ଟି ଆସନ ପାଇଁ ଉପନିର୍ବାଚନ କରାଇବାକୁ ଘୋଷଣା କରିଛନ୍ତି ।
ଉପନିର୍ବାଚନ ପାଇଁ ଆଜିଠାରୁ ହିଁ ନିର୍ବାଚନ ଆଚାର ସଂହିତା ଲାଗୁହୋଇଯାଇଛି । ସେପ୍ଟେମ୍ବର ୬ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ସେପ୍ଟେମ୍ବେର ୧୩ ନାମାଙ୍କନ ଦାଖଲର ଶେଷ ତାରିଖ । ସେପ୍ଟେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ଏବଂ ଅକ୍ଟୋବର ୩ତାରିଖରେ ଭୋଟ ଗଣତି ହେବ ।
ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ବିଧାନସଭା ଯିବା ରାସ୍ତା ଆପାତତଃ ସଫା ହୋଇଯାଇଛି । କାରଣ କିଛି ମାସ ପୂର୍ବରୁ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ତଥାପି ୬ ମାସ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଦିଦି । ସମ୍ବିଧାନର ଧାରା ୧୬୪ ଅନୁଯାୟୀ କୌଣସି ବ୍ୟକ୍ତି ୬ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିପାରିବେ । କିନ୍ତୁ ଏହି ସମୟ ମଧ୍ୟରେ ଉପନିର୍ବାଚନ ଦ୍ବାରା ସେ ବିଧାନସଭାର ସଦସ୍ୟ ହେବା ଆବଶ୍ୟକ ନଚେତ୍ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ ।
ତେବେ ଆସନ୍ତା ନଭେମ୍ବର ମାସରେ ଦିଦିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଦିଦିଙ୍କୁ ବିଧାନସଭାର ସଦସ୍ୟ ହେବାକୁ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ।