ନୂଆଦିଲ୍ଲୀ, ୦୩/୦୫ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସନ୍ତାକାଲି ଭୋଟ୍ ଗଣତି। ଏହା ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଟିଏମସି ପୁଣିଥରେ କ୍ଷମତାକୁ ଫେରୁଛି ଏବଂ ଦଳ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ।
ସାମ୍ନାକୁ ଆସିଥିବା ଏଗଜିଟ୍ ପୋଲ୍ ଆକଳନକୁ ମମତା ସିଧାସଳଖ ଖାରଜ କରିଛନ୍ତି। ଏହାକୁ ‘ଶେୟାର ମାର୍କେଟ୍ରେ ହେରଫେର୍ କରିବାର ଏକ ପ୍ରୟାସ’ ବୋଲି ସେ ଅଭିହିତ କରିଛନ୍ତି। ୨୦୨୧ ଏବଂ ୨୦୨୪ରେ ମଧ୍ୟ ସମାନ ଭାବେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ଦ୍ୱାରା ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ଉପରେ ମଧ୍ୟ ମମତା ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ ବାହିନୀର ଯବାନମାନେ ଟିଏମସି କର୍ମକର୍ତ୍ତାଙ୍କ ଉପରେ ଅତ୍ୟଧିକ ବର୍ବରତା ପ୍ରଦର୍ଶନ କରିଛନ୍ତି। ଯେଉଁ କର୍ମକର୍ତ୍ତାମାନେ ଏହି ନିର୍ଯାତନା ସହ୍ୟ କରି ମଧ୍ୟ ଦଳ ପାଇଁ କାମ କରିଛନ୍ତି, ଆଗାମୀ ଦିନରେ ଦଳ ସେମାନଙ୍କୁ ପୁରସ୍କୃତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ବିଜେପି ନେତା ଅମିତ ମାଲବୀୟ ଅଭିଯୋଗ କରିଛନ୍ତି ଯେ ଡାଇମଣ୍ଡ ହାର୍ବର ଭଳି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବାରୁ ରୋକାଯାଇଛି। ବର୍ତ୍ତମାନ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଦୁଇଟି ଆସନରେ ପୁନଃ ମତଦାନ ଚାଲିଥିବା ବେଳେ ମଇ ୪ ତାରିଖର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।