ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିଲେ ମମତା ବାନାର୍ଜୀ, କ୍ଷୟକ୍ଷତିର ହିସାବ ଧରାଇ ଚାଲିଗଲେ

କୋଲକାତା,୨୮/୫ : ଆଜି ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ମମତା ବାନାର୍ଜୀ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ବିଳମ୍ବରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟାରେ ରାଜ୍ୟରେ ଘଟିଥିବା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ହାତରେ ଧରାଇ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ।

ମମତା ବାନାର୍ଜୀଙ୍କ କହିବା କଥା ତାଙ୍କର ଅନ୍ୟ ବୈଠକରେ ଯୋଗ ଦେବାର ଅଛି। ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢିପାରେ। ଏହା ମଧ୍ୟ କୁହାଯାଉଛି ଯେ, ବୈଠକକୁ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଆମନ୍ତ୍ରିତ କରିବା ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ। ବୈଠକରେ ଯୋଗ ଦେବା ନୁହେଁ କେବଳ କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ହେଲେ ଶୁଭେନ୍ଦୁ ଅଧିକାରୀଙ୍କୁ ବୈଠକରେ ଆମନ୍ତ୍ରିତ କରିବା ନେଇ ମମତା ଖପ୍ପା ଥିଲେ।