ନନ୍ଦିଗ୍ରାମରେ ବୁଥ୍ ରିଗିଂ : ବୁଥ୍ ଆଗରେ ଧାରଣା ଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ, ୧/୪: ପଶ୍ଚିମବଙ୍ଗର ୩୦ ଟି ବିଧାନସଭା ଆସନରେ ଆଜି ମତଦାନ ଜାରି ରହିଛି । ଏହାମଧ୍ୟରେ ସବୁଠାରୁ ହାଇ ଭୋଲଟେଜ୍ ଆସନ ନନ୍ଦିଗ୍ରାମରେ ରାଜନୀତି ଉଷ୍ମ ହୋଇପଡିଛି । ଏହି ଆସନରୁ ଲଢୁଛନ୍ତି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏଠାରେ ମତଦାନ ଆରମ୍ଭ ହେବା ପରଠୁ ବିଭିନ୍ନ ବୁଥରେ ହିଂସାକାଣ୍ଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ମମତା ବୁଥ ଆଗରେ ଧାରଣା ଦେଇଛନ୍ତି ।

ସୂଚନାନୁସାରେ, ମତଦାନ ଚାଲିଥିବା ବେଳେ ଶୁଭେନ୍ଦୁଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ସେ ଟିଏମସିକୁ ଏଥିପାଇଁ ଦାୟୀ କରିଥିଲେ । ଏସବୁ ଘଟଣା ପରେ ମମତା ବାନାର୍ଜୀ ନିଜେ ବିଭିନ୍ନ ବୁଥ୍ ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ । ଏହି ସମୟରେ କିଛି ବୁଥରେ ଅନିୟମିତତା ନେଇ ଟିଏମସି ନେତା ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଟିଏମସି ସମର୍ଥିତ ଭୋଟରଙ୍କୁ ମତଦାନ ପାଇଁ ରୋକା ଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ ମମତା ବାୟୋ ପୁଲିଂ ବୁଥରେ ନିର୍ବାଚନ ଅଧିକାରୀଙ୍କୁ ଏବାବଦରେ ଅବଗତ କରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ମମତା ହ୍ୱିଲ ଚେୟାରରେ ହିଁ ଧାରଣାରେ ବସିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଛନ୍ତି । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ବାହାର ଲୋକମାନେ ଭୋଟରଙ୍କୁ ବୁଥକୁ ଯିବାକୁ ଦେଉ ନାହାଁନ୍ତି । ଏପରିକି ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାସହ ସେ ସିଧାସଳଖ ରାଜ୍ୟପାଳ ଜଗଦୀପ ଧନକଡଙ୍କ ସହ ଫୋନରେ ଯୋଗାଯୋଗ କରି ଏବାବଦରେ ଅବଗତ କରିଥିଲେ । ଏହାସହ ରାଜ୍ୟରେ ନିରପେକ୍ଷ ନିର୍ବାଚନ କରିବାକୁ ଦାବି କରିଥିଲେ । ରାଜ୍ୟପାଳ ମଧ୍ୟ ନିରପେକ୍ଷ ନିର୍ବାଚନ ଆୟୋଜନ ନେଇ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି ।