ଭୁବନେଶ୍ବର,୧୭ /୨: ବିଧାନସଭା ଆରମ୍ଭ ପୂର୍ବରୁ ଆଜି ପୁଲିସ ଡିଜି ବିଧାନସଭା ପରିସରରେ ସୁରକ୍ଷା ସମୀକ୍ଷା କରିବାର ୩ ଘଣ୍ଟା ପରେ ଅଘଟଣ ଘଟିଛି। ବିଧାନସଭା ଆଗରେ ଆଜି ପୁଣି ଥରେ ଆତ୍ମହୁତି ଉଦ୍ୟମ ହୋଇଛି। ଗତ ଅଧିବେଶନରେ ଏକାଧିକ ଆତ୍ମହୁତି ଉଦ୍ୟମ ପୁଲିସର ମୁଣ୍ଡ ବିନ୍ଧା କରିଥିବା ବେଳେ ଆଜିର ଏହି ଉଦ୍ୟମ ପୁଲିସକୁ ଚିନ୍ତାରେ ପକାଇଛି। ତେବେ ସେଠାରେ କାର୍ଯ୍ୟରତ ପୁଲିସ ତାଙ୍କୁ କାବୁ କରି କ୍ୟାପିଟାଲ ଥାନା ନେଇଛି। ତାଙ୍କ ଠାରୁ ପେଟ୍ରୋଲ ଜବତ କରାଯାଇଛି। ଅନ୍ୟପଟେ ତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଆତ୍ମହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ହଂସପାଳର ମାଗୁଣି ସାହୁ। ନିଜ ମାକୁ ଖାଇବାକୁ ଦେଉ ନଥିବା ତାଙ୍କ ମା’ ଅଭିଯୋଗ କରିଥିଲେ। ପରିବାର ସମ୍ପତି ଭଗବଣ୍ଟାକୁ ନେଇ ମଧ୍ୟ ପରିବାରରେ ବିବାଦ ରହିଥିଲା। ଏହି ସମସ୍ୟା ନେଇ ସେ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ୪ ମାସ ଧରି ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ କର୍ଣ୍ଣପାତ କରିନଥିବା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହୁତି ଦେବାପାଇଁ ସ୍ଥିର କରିଥିଲେ।