ଭୁବନେଶ୍ୱର, ୨୫/୦୭ : ପେଟ୍ରୋଲ ପାଇଁ ଗାଡ଼ିରୁ ଟାଙ୍କି ଖୋଲି ଆଣିଲେ ବ୍ୟକ୍ତି । ଗାଡ଼ିର ଟାଙ୍କି ଧରି ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍କୁଟିରେ ଆସିଲେ । ସାଙ୍ଗରେ ଧରି ଆସିଥିବା ଟାଙ୍କିକୁ ଖୋଲି କର୍ମଚାରୀଙ୍କୁ ତେଲ ଦବାକୁ କହିଲେ । କର୍ମଚାରୀ ବି ଏସବୁ ଦେଖି ତାଜୁବ ହୋଇ ଯାଉଥାନ୍ତି । କିନ୍ତୁ କଣ ବା କରିବେ ? ସରକାରଙ୍କ ନିୟମ ଅନୁସାରେ ଏଣିକି ଆଉ ପ୍ଲାଷ୍ଟିକ ବୋତଲରେ ପ୍ରେଟୋଲ ଦିଆଯିବନି । ତେଣୁ ସେ ବି ବ୍ୟକ୍ତିଙ୍କୁ ସେହି ଟାଙ୍କିରେ ତେଲ ଦେବା ଆରମ୍ଭ କରିଥିଲେ । ପ୍ଲାଷ୍ଟିକ୍ ବୋତଲରେ ତେଲ ବନ୍ଦ ହେବା ପରେ ଲୋକଙ୍କ ଚିନ୍ତା ବଢ଼ିଛି । ଗାଡ଼ିରୁ ହଠାତ ତେଲ ସରିବା ପରେ କେଉଁଠି ଲୋକେ ଦୁଇ ଚକିଆ ଗାଡ଼ିକୁ ଚାରି ଚକିଆରେ ବହି ଆଣୁଛନ୍ତି ତ କେଉଁଠି ସିଧା ଟାଙ୍କିକୁ ଗାଡ଼ିରୁ ଖୋଲି ଆଣୁଛନ୍ତି । ଆପଣ ଦେଖୁଥିବା ଏ ସିସିଟିଭି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି କଟକ ଜିଲ୍ଲା ମାଣିଆବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ଗାଡ଼ିର ଟାଙ୍କି ଖୋଲି ପ୍ରେଟୋଲ ପମ୍ପ ପର୍ଯ୍ୟନ୍ତ ନେଇ ଆସିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନରସିଂହପୁରରେ ଥିବା HP ପେଟ୍ରୋଲ ପମ୍ପର ଏ ହେଉଛି ଦୃଶ୍ୟ । ଯୁବକ ଜଣକ ଅନୁଗୁଳରୁ ନରସିଂହପୁର ଫେରୁଥିବା ବେଳେ ଗାଡ଼ିରୁ ହଠାତ ତେଲ ସରି ଯାଇଥିଲା । ପରେ ଯୁବକ ଜଣକ ଏକ ପିକ୍ ଅପ୍ ଭ୍ୟାନ୍ ଭଡ଼ା କରି ବାଇକ୍ ଧରି ନରସିଂହପୁର ପ୍ରେଟୋଲ ପମ୍ପରେ ପହଞ୍ଚିଥିଲେ । ପ୍ରଥମେ ବାଇକ୍ କୁ ଗଡ଼ାଇ ଗଡ଼ାଇ ଆଣିଥିଲେ ପରେ ଡାଲା ପିକପ୍ ଭ୍ୟାନରେ ୫ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଆଣି ନିଜ ବାଇକରେ ପ୍ରେଟୋଲ ଭରିଥିଲେ । ଏଥିପାଇଁ ବାଇକ ଚାଳକଙ୍କୁ ପେଟ୍ରୋଲ ଠୁ ଅଧିକ ଗାଡ଼ି ଭଡ଼ା ପାଇଁ ଖର୍ଚ୍ଚ କରିବାକୁ ପଡ଼ିଥିଲା । ସେପଟେ ଠିକଣାସ୍ଥଳରେ ପହଞ୍ଚିବା ପାଇଁ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ବିଳମ୍ବ ହୋଇଥିଲା । ଯୁବକଙ୍କ ବାଇକ୍ ପିକ୍ ଅପ୍ ଭ୍ୟାନରେ ବୁହା ହେବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ମନା ହେବା ପରେ ଅନେକ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।