ଖୋର୍ଦ୍ଧା, ୩/୯: ମାନବବାଦ ସଂଗଠନର ମୁଖିଆ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ ହୋଇଛନ୍ତି । ଗିରଫ ହେବା ପରେ ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଛି । ଯେହେତୁ ରାତ୍ରି ଭୋଜନ ପରେ ଜେଲକୁ ଗଲେ ତାଙ୍କ ପାଇଁ ୨୩୨ ଗ୍ରାମ ଚୁଡା ଓ ୫୮ ଗ୍ରାମ ଗୁଡର ବ୍ୟବସ୍ଥା ଥାଏ । ମାତ୍ର ଗତକାଲି ରୁଟି ଏବଂ ତରକାରୀ ବଳିଥିବାରୁ ଏହାକୁ ଖାଇ ରାତି କଟାଇଥିଲେ ବାପ-ପୁଅ ।
ସେହିପରି ଶୁକ୍ରବାର ସକାଳୁ ସେମାନଙ୍କୁ ଚା’ ଓ ଜଳଖିଆ ଦିଆଯାଇଛି । ସେମାନଙ୍କୁ ଜେଲର ଦୁଇ ନମ୍ବର ସ୍ବତନ୍ତ୍ର ଓ୍ବାର୍ଡରେ ୧୪ଦିନ ପାଇଁ ରଖାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସେପଟେ ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ପୋଲିସ ବାପ-ପୁଅଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି । ଅନ୍ୟପଟେ ମାନସ ଦାସଙ୍କ ସମର୍ଥକ ଏସ୍ପି ଅଫିସ୍ ଆସି ବିରୋଧ କରିବାର ସମ୍ଭାବନା ରହିଛି । ଗୁରୁବାର ମଧ୍ୟ ମାନସ ଦାସ ଓ ତାଙ୍କ ପୁଅ ଗିରଫ ହେବା ପରେ ସନ୍ଧ୍ୟାରେ ଏସ୍ପି ଅଫିସରେ ରୁଣ୍ଡ ହୋଇଥିଲେ ତାଙ୍କ ସମର୍ଥକ । ସୁରକ୍ଷା ଦୃଷ୍ଟିରୁ ଏସ୍ପି ଅଫିସରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।