ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଜନ୍ମ ଦିନ : ଆସନ୍ତୁ ଜାଣିବା ଦେଶର ଅର୍ଥବ୍ୟବସ୍ଥାରେ ତାଙ୍କ ଯୋଗଦାନ
ନୂଆଦିଲ୍ଲୀ,୨୬/୯: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୮୮ ତମ ଜନ୍ମ ଦିନ । ଏହି ଅବସରରେ ଦେଶର ଅର୍ଥବ୍ୟବସ୍ଥାରେ ତାଙ୍କ ଯୋଗଦାନକୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି । ମନମୋହନ ସିଂହଙ୍କୁ ଭାରତରେ ଆର୍ଥିକ ଉଦାରୀକରଣ ଓ ଆର୍ଥିକ ସୁଧାରର ଜନକ କୁହାଯାଏ । ୧୯୯୧ରେ ଅର୍ଥମନ୍ତ୍ରୀ ଥିବା ସମୟରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ନୂତନ ଯୁଗର ସୂତ୍ରପାତ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ଉପଲବ୍ଧି ବିଷୟରେ ।
୨୦୦୪ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରରେ ସେ ଦେଶର ୧୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ କେବଳ ନିଜର ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିନଥିଲେ ବରଂ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।
ଏହା ପୂର୍ବରୁ କଂଗ୍ରେସ ନେତା ତଥା ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାରରେ ସେ ଭାରତର ଅର୍ଥମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥଲେ। ପ୍ରଧାନମନ୍ତ୍ରୀ ରହିବା ସମୟରେ ମନମୋହନ ସିଂହ ଅନେକ ସାହସିକ ଐତିହାସିକ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଦେଶ ପ୍ରତି ଅଧିକ ଯୋଗଦାନ ଅର୍ଥମନ୍ତ୍ରୀ ଥିବା ସମୟରେ ରହିଥିବା କୁହାଯାଏ। ସେ ୧୯୯୧ରେ ଦଶନ୍ଧି ଧରି ବନ୍ଦ ଭାରତୀୟ ଅର୍ଥବ୍ୟବସ୍ଥାକୁ ଖୋଲିବା ତଥା ଦେଶରେ ଆର୍ଥିକ ଉଦାରୀକରଣ ଆରମ୍ଭ କରିଥିଲେ।

ଏହିପରି ସେ ଲାଇସେନ୍ସ ରାଜକୁ ସମାପ୍ତ କରିଥିଲେ ଏବଂ ଆର୍ଥିକ ସୁଧାରକୁ ଆଗକୁ ବଢାଇଥିଲେ। ଯେବେ ସେ ଅର୍ଥ ମନ୍ତ୍ରୀ ଥିଲେ ତେବେ ଦେଶର ଅବସ୍ଥା ବହୁତ ଶୋଚନୀୟ ଥିଲା। ଦେଶକୁ ନିଜର ଖର୍ଚ୍ଚ ଚଳାଇବା ପାଇଁ ସୁନା ବନ୍ଧକ ରଖାଯାଇଥିଲା। ମାତ୍ର ମନମୋହନ ସିଂହ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳିବା ପରେ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା।
ସେ ଟଙ୍କାର ଅବମୂଲ୍ୟାୟନ କରିଥିଲେ, ଟ୍ୟାକ୍ସ ହ୍ରାସ କରିଥିଲେ, ବିଦେଶୀ ନିବେଶକୁ ପ୍ରୋତ୍ସାହିତ କରିଥିଲେ ଏବଂ ବିଦେଶୀ କାରବାରକୁ ଭାରତରେ ଆକର୍ଷିତ କରିଥିଲେ। ଏସବୁ ଐତିହାସିକ ପଦକ୍ଷେପ ଜରିଆରେ ଦେଶର ଅର୍ଥବ୍ୟବସ୍ଥା ଗାଡି ଦ୍ରୁତ ଗତିରେ ଗଡିବା ଆରମ୍ଭ ହୋଇଥିଲା। ମନମୋହନ ୧୯୯୬ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ।
କେବଳ ଏତିକି ନୁହେଁ ୨୦୦୪ରେ ଯେବେ ସେ ଦେଶର ପ୍ରଧାନମନ୍ତ୍ରୀ ହେଲେ ତେବେ ତତ୍କାଳୀନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ସହିତ ମିଶି ଦେଶର ଅର୍ଥନୀତିର ଗତିକୁ ଆହୁରି ଦ୍ରୁତ କରିଥିଲେ। ସେହି ସମୟକୁ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଵର୍ଣ୍ଣକାଳ କୁହାଯାଏ। ତାଙ୍କ ପ୍ରଧାନମନ୍ତ୍ରୀ ସମୟରେ ଭାରତର ଜିଡିପି ହାର ୮ ରୁ ୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା। ୨୦୦୭ରେ ଭାରତ ଐତିହାସିକ ୯ ପ୍ରତିଶତ ଜିଡିପି ଅଭିବୃଦ୍ଧିହାର ହାସଲ କରିଥିଲା। ଏହା ସହିତ ଦୁନିଆରେ ଦ୍ଵିତୀୟ ସବୁଠୁ ଦ୍ରୁତଗାମୀ ଅର୍ଥବ୍ୟବସ୍ଥାରେ ଭାରତ ପରିଣତ ହୋଇଥିଲା।
ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ନରେଗା) ପରି ଐତିହାସିକ ଯୋଜନା ଆରମ୍ଭ ହୋଇଥିଲା, ଯାହାକୁ ଏବେ ମନରେଗା କୁହାଯାଉଛି। ତାଙ୍କ କାର୍ଯ୍ୟକାଳରେ ଦେଶରେ ୨୦୦୬ରେ ସ୍ଵତନ୍ତ୍ର ଅର୍ଥନୀତି ଜୋନ ଆରମ୍ଭ ହୋଇଥିଲା।
ସେ ନିଜ କ୍ୟାରିୟର ଆରମ୍ଭରେ ବୈଦେଶିକ ବାଣିଜ୍ୟ ବିଭାଗରେ ଆର୍ଥିକ ପରାମର୍ଶଦାତା, ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅର୍ଥ ମନ୍ତ୍ରଣାଳୟର ସଚିବ ରହିଥିଲେ। ସେ ୧୯୭୬ ରୁ ୧୯୮୦ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ଏବଂ ପରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଥିଲେ।