ନୂଆଦିଲ୍ଲୀ, ୨୬/୦୩ : ଆଜି ସକାଳୁ ଆନ୍ଧ୍ରପ୍ରଦେଶର ମାର୍କାପୁରମର ରାୟାବରମ ନିକଟରେ ଏକ ଘରୋଇ ଟ୍ରାଭେଲ ବସ୍ ଏବଂ ଏକ ଟିପର୍ ଟ୍ରକ୍ ସହିତ ଧକ୍କା ହୋଇଛି । ଫଳରେ ବସଟିରେ ନିଆଁ ଲାଗି ଜଳି ପାଉଁଶ ହୋଇଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ବସ୍ ଟି ତେଲେଙ୍ଗାନାର ନିର୍ମଳରୁ ଆନ୍ଧ୍ରପ୍ରଦେଶର ନେଲୋରକୁ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧକ୍କା ଏତେ ତୀବ୍ର ଥିଲା ଯେ ତୁରନ୍ତ ବସଟିରେ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟାଇଥିଲାବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି । ଆହତଙ୍କ ଚିକିତ୍ସାରେ କୌଣସି ଅବହେଳା ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସମଗ୍ର ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।