ବିଶାଳ ମାଓ କ୍ୟାମ୍ପ୍ ଠାବ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି, ୧୮/୧୨ : କମ୍ବିଂ ଅପରେସନ୍‌ ସମୟରେ ବିଶାଳ ମାଓ କ୍ୟା‌ମ୍ପ୍‌ ଠାବ ହୋଇଛି। ଏହା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ମାଓ ସାମଗ୍ରୀ ମଧ୍ୟରେ ରହିଛି ଇନ୍ ଫ୍ରାରେଡ୍ ଥାର୍ମୋମିଟର। ଯାହା କରୋନା ଚିହ୍ନଟ ପାଇଁ ଉପଯୋଗୀ । ଏବେ ନକ୍ସଲମାନେ ବି ସଂଗଠନରେ କରୋନାକୁ ନେଇ ଚିନ୍ତାରେ ରହିଥିବା ଜଣାପଡିଛି । ତେବେ ଏହି ସବୁ ମାଓ ସାମଗ୍ରୀ ଛତିଶଗଡ଼ର ଦନ୍ତେଓ୍ବାଡ଼ା ଜିଲ୍ଲା ତିମେନାର ଜଙ୍ଗଲରୁ ଠାବ କରାଯାଇଛି ।

ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ବଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଜବାନମାନେ ସର୍ଚ୍ଚ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଖବର ପାଇ ମାଓବାଦୀମାନେ ପଳାଇବାରେ ସକ୍ଷମ ହୋଇଛନ୍ତି । ଏହି ଶିବିରରୁ ଟିଫିନ ବୋମା, କୋଡେକ୍ସ ଓୟାର, ଇନଫ୍ରାରେଡ୍ ଥର୍ମୋମିଟର, ମାଓ ପୋଷାକ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।