ଭୁବନେଶ୍ୱର, ୨୨/୦୨ : ମାଓ ସଙ୍ଗଠନକୁ ବଡ଼ ଝଟକା । ଟପ୍ ମାଓନେତା ଦେବଜୀଙ୍କ ସମେତ ୧୬ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଭାରତରେ ମାଓବାଦୀ ଆନ୍ଦୋଳନକୁ ବଡ଼ ଶକ୍ତ ଧକ୍କା ଲାଗିଛି । CPI ମାଓବାଦୀ ସଙ୍ଗଠନର ସବୁଠାରୁ ବଡ଼ ନେତା ବା ଜେନେରାଲ ସେକ୍ରେଟାରୀ ଥିପ୍ପିରି ତିରୁପତି ଓରଫ୍ ‘ଦେବଜୀ’ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ସହ ଆଉ ଜଣେ ବଡ଼ ନେତା ମାଲା ରାଜି ରେଡ୍ଡୀ ଏବଂ ପ୍ରାୟ ୧୬ ଜଣ ସଶସ୍ତ୍ର କ୍ୟାଡର ମଧ୍ୟ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ତେଲେଙ୍ଗାନାର ଆସିଫାବାଦ ଜିଲ୍ଲା ଜଙ୍ଗଲରେ ଏହି ବଡ଼ ନେତାମାନେ ପୋଲିସ ନିକଟକୁ ଆସିଥିଲେ । ଦେବଜୀ ମାଓବାଦୀ ସଙ୍ଗଠନର ମୁଖ୍ୟ ରଣନୀତିକାର ଥିଲେ । ଗତବର୍ଷ ନମ୍ବଲା କେଶବ ରାଓଙ୍କ ମୃତ୍ୟୁ ପରେ ସେ ସଙ୍ଗଠନର ଦାୟିତ୍ୱ ନେଇଥିଲେ। ତାଙ୍କ ମୁଣ୍ଡ ଉପରେ ୧ ରୁ ୨ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବଡ଼ ଆତ୍ମସମର୍ପଣ ସେହି ଦିଗରେ ଏକ ବଡ଼ ସଫଳତା ।