ଭୁବନେଶ୍ୱର, ୦୧/୦୩ : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ମାଓକ୍ୟାମ୍ପ ଠାବ । ମେନପୁର ଥାନା ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡରୁ ଠାବ ହୋଇଛି ମାଓକ୍ୟାମ୍ପ । ମାଟିତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଜବତ ହୋଇଛି । ଗରିଆବନ୍ଧ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ପଚରା ଉଚୁରା କରିବା ପରେ ମିଳିଛି ଏହି ତଥ୍ୟ । ସାପସାଟି ପାହାଡ଼ରେ ଧମତରୀ- ଗରିଆବନ୍ଧ-ନୂଆପଡ଼ା ଡିଭିଜନ ମାଓସଂଗଠନ ଦ୍ଵାରା ମାଟିତଳେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଲୁଚାଇଥିବା ସେମାନେ ପ୍ରକାଶ କରିଥିଲେ । ଗରିଆବନ୍ଧ ଜିଲ୍ଲା ଇ-୩୦ ପୁଲିସ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ପରେ ସେଠାରୁ ଯବାନମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ସମେତ ବନ୍ଧୁକ, ମାଗାଜିନ୍ ଓ ମାଓ ସାମଗ୍ରୀ ଜବତ କରିଛନ୍ତି l ଏହାସହ ମାଟି ତଳେ ପୋତାଯାଇଥିବା ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଉଦ୍ଧାର କରାଯାଇଛି । ଏବେ ବି ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରଖି ଗରିଆବନ୍ଧ ଏସପି ସୂଚନା ଦେଇଛନ୍ତି l ତେବେ କେନ୍ଦ୍ର ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ଛତିଶଗଡ଼ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।