ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ନଭେମ୍ବର ୧୨ ତାରିଖରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ଜାତକଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ବିଶେଷକରି କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି ଏବଂ ସ୍ୱାସ୍ଥ୍ୟକୁ ନେଇ ଏହି ରାଶିର ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପଡ଼ିପାରେ । ତେବେ କେଉଁ ୩ଟି ରାଶି ଉପରେ ପଡ଼ିବ ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ? ଏବଂ ଏଥିରୁ ରକ୍ଷା ପାଇବା ପାଇଁ କ’ଣ ରହିଛି ଜ୍ୟୋତିଷୀୟ ଉପାୟ? ଆସନ୍ତୁ ଜାଣିବା ।
କନ୍ୟା : କନ୍ୟା ରାଶିର ଜାତକଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଦ୍ୱାଦଶ ଭାବରେ ହେବ । ଯାହାକୁ ବ୍ୟୟ ଏବଂ କ୍ଷତିର ଭାବ ବୋଲି କୁହାଯାଏ । ଏହି ସମୟରେ ଆପଣଙ୍କ ଖର୍ଚ୍ଚ ବଢ଼ିପାରେ । ତେଣୁ ଆର୍ଥିକ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ସହିତ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅବହେଳା କରନ୍ତୁ ନାହିଁ । ବିଶେଷକରି ପେଟ ଏବଂ ରକ୍ତ ସମ୍ବନ୍ଧୀୟ ସମସ୍ୟା ଚିନ୍ତା ବଢ଼ାଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବାର ଆଶଙ୍କା ରହିଛି । ତେଣୁ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ । ଏହାର ପ୍ରତିକାର ସ୍ୱରୂପ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ମନ୍ତ୍ର ‘ଓଁ ଭୌଂ ଭୌମାୟ ନମଃ’ ଜପ କରନ୍ତୁ ।
ମକର : ମକର ରାଶିର ଜାତକଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଅଷ୍ଟମ ଭାବରେ ହେବ । ଜ୍ୟୋତିଷ ଶାସ୍ତ୍ରରେ ଏହି ଭାବକୁ ଅନିଶ୍ଚିତତା ଏବଂ ଦୁର୍ଘଟଣାର କାରକ ବୋଲି ମନେ କରାଯାଏ । ଏହି ସମୟରେ କର୍ମକ୍ଷେତ୍ରରେ ମାନସିକ ଚାପ ବଢ଼ିପାରେ । କାମର ଚାପ ମଧ୍ୟ ଅଧିକ ରହିବ । ତେଣୁ କୌଣସି କାମକୁ ଅଧାରେ ଛାଡ଼ନ୍ତୁ ନାହିଁ । ପରିବାରରେ ମତଭେଦ ହେବାର ଆଶଙ୍କା ରହିଛି। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହା ସହିତ ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ । କୌଣସି ବଡ଼ ଆର୍ଥିକ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଏହି ସମସ୍ୟାର ପ୍ରତିକାର ପାଇଁ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ।
ମୀନ : ମୀନ ରାଶିର ଜାତକଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଷଷ୍ଠ ଭାବରେ ହେବ । ଏହି ଭାବକୁ ଋଣ, ଶତ୍ରୁ ଏବଂ ସଂଘର୍ଷର ଭାବ ବୋଲି କୁହାଯାଏ । ଏହି ସମୟରେ କର୍ମକ୍ଷେତ୍ରରେ ବିରୋଧୀଙ୍କଠାରୁ ସତର୍କ ରହିବାକୁ ପଡ଼ିବ । ସେମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି । ତେଣୁ ପ୍ରତ୍ୟେକ କାମ ଠିକ୍ ସମୟରେ ଶେଷ କରନ୍ତୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସାବଧାନ ରୁହନ୍ତୁ। ମାନସିକ ଚିନ୍ତା ଏବଂ ଅଶାନ୍ତି ବଢ଼ିପାରେ । କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ସେହିପରି ଛାତ୍ରଛାତ୍ରୀଙ୍କ ଏକାଗ୍ରତା ହ୍ରାସ ପାଇବା ଯୋଗୁଁ ପାଠପଢ଼ାରେ ସମସ୍ୟା ହୋଇପାରେ । ଏହାର ପ୍ରତିକାର ସ୍ୱରୂପ ନିୟମିତ ଭଗବାନ ଶିବଙ୍କ ପୂଜା କରନ୍ତୁ ।