ଭୁବନେଶ୍ୱର,୨୮/୧୧ : (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ସ୍ମାର୍ଟ୍ ସିଟି ବାସୀଙ୍କୁ କଲବଲ କଲେଣି ମଶା । ସହରରେ ମଶାଙ୍କ ସାନ୍ଦ୍ରତା ତଥା ମସ୍କ୍ୱିଟୋ ଡେନ୍ସିଟି ବଢ଼ି ଏବେ ୮୦ ଟପିଲାଣି ବୋଲି କୁହାଯାଉଛି। ଏହାକୁ ମାତ୍ରାଧିକ ବୋଲି ବିବେଚନା କରାଯାଏ ।ତେଣୁ ଦିନକୁ ଦିନ ମଶାଙ୍କ ଅସହ୍ୟ ଯନ୍ତ୍ରଣା ଓ ଉତ୍ପାତ ଯୋଗୁଁ ଭୁବନେଶ୍ୱର ସ୍ମାର୍ଟ୍ ସହରବାସୀ ମାନେ ଅତିଷ୍ଠ ହେଲେଣି । ଅଥଚ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ତଥା ନିୟନ୍ତ୍ରଣ କ୍ଷେତ୍ରରେ ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଭୁବନେଶ୍ୱରରେ ମଶା ବଂଶ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଆପତ୍ତି କରାଯାଇଛି । ମାତ୍ର ଏପରି ଏକ ଗୁରୁତର ସମସ୍ୟାର ପ୍ରତିକାର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ବିଭାଗ, ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସି ଓ ଭୁବନେଶ୍ୱର ସ୍ମାର୍ଟ୍ ସିଟିର ଉଦାସୀନତା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି।
ବିଶେଷକରି ସହର ମଧ୍ୟରେ ଥିବା ବିଭିନ୍ନ ମଶା ପ୍ରଜଜନ ସ୍ଥଳୀ ତଥା ବ୍ରିଡ଼ିଂ ପକେଟ ଗୁଡ଼ିକୁ ଚିହ୍ନଟ କରିବା ସହିତ ସେଥିରେ ସଠିକ୍ ଭାବେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଛି । ବିଏମସି ଅନ୍ତର୍ଗତ ୬୭ ୱାର୍ଡ ଅଞ୍ଚଳରେ ଥିବା ବିଭିନ୍ନ ନାଳ ନର୍ଦ୍ଦମା,ଅଳିଆ ଆବର୍ଜନା ଗଦା,ପରିତ୍ୟକ୍ତ ଜଳାଶୟ ଓ ସନ୍ତସନ୍ତିଆ ସ୍ଥାନ,ଖୋଲା ମ୍ୟାନ୍ ହୋଲ ଚାମ୍ବର,କଞ୍ଜର୍ଭାନ୍ସ ଲେନ ଗୁଡ଼ିକର ସଫେଇ ସହ ଅଦରକାରୀ ଗଛଲତା,ବଣବୁଦା ଓ ଯାଇଥିବା କେନାଲ ଗୁଡ଼ିକରେ ବ୍ୟାପକ ଦଳ ଓ ଅଦରକାରୀ ବୃକ୍ଷ ଲତା ଗୁଡ଼ିକୁ ନଷ୍ଟ କରିବା ପ୍ରକ୍ରିୟାରେ ଘୋର ଅନିୟମିତତା ମଶାବଂଶ ବୃଦ୍ଧିର ଅନ୍ୟତମ ବଡ କାରଣ ବୋଲି କୁହାଯାଉଛି । ମାତ୍ର ଏସବୁର ତଦାରଖ ଓ ନିରାକରଣ ଦାୟିତ୍ବରେ ଥିବା କେତେକ କ୍ଷେତ୍ର ଅଧିକାରୀଙ୍କର କର୍ତ୍ତବ୍ୟରେ ଚରମ ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ ହୋଇଛି । କ୍ଷେତ୍ରକୁ ନଯାଇ ଦୀର୍ଘଦିନ ଧରି ଦିଶାହୀନ ଓ ଉପରଠାଉରିଆ ଭାବେ ଅଧିକାଂଶ ୱାର୍ଡରେ ତଳିଆ କର୍ମଚାରୀଙ୍କ ହାତରେ ଦାଇତ୍ଵ ସମର୍ପି ଦେଇ କେତେକ ବେପରୁଆ ଅଧିକାରୀ ମନମାନି କରି ଆସୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।
ଅପରପକ୍ଷେ ମଶା ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ସଂଖ୍ୟକ କ୍ଷେତ୍ର ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ମଧ୍ୟ ଏହି ସମସ୍ୟାକୁ ଆହୁରି ଜଟିଳ କରିଛି। ଏଥିସହ ସରକାରଙ୍କ ପକ୍ଷରୁ ମଶାବଂଶ ଦମନ କ୍ଷେତ୍ରରେ ଉପଯୁକ୍ତ ତାଲିମ ପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରିବା ସାଙ୍ଗକୁ ଆବଶ୍ୟକ ପରିମାଣରେ ଏମ୍ ଏଲ୍ ଅଏଲ, ମଶାନାଶକ ଔଷଧ ଓ ଆନୁସାଙ୍ଗିକ ସରଞ୍ଜାମ ଓ ଯନ୍ତ୍ରପାତି ଇତ୍ୟାଦିର କୁଶଳୀ ବ୍ୟବହାର ନିମନ୍ତେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ଏଥିରୁ ଅନେକ ସୁଫଳ ମିଳିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏନେଇ ଜନ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ.ନିରଞ୍ଜନ ମିଶ୍ର ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ପଚାରିବାରେ ଉଭୟେ ମଶାମାନଙ୍କର ଏବେ ପିକ ସିଜନ୍ ଚାଲିଥିବାରୁ ଏପରି ସମସ୍ୟା ଦେଖାଦେଇଛି। ତେଣୁ ଏହାର ନିରାକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। ମାତ୍ର ଏପରି ସ୍ଥିତିରେ ମଶା ଯନ୍ତ୍ରଣାରେ ଅତିଷ୍ଠ ହୋଇଆସୁଥିବା ଏହି ସ୍ମାର୍ଟ୍ ସହରବାସୀ ନାଗରିକ ମାନେ ଆଗକୁ ଯେ କେବେ ଏଥିରୁ ନିସ୍ତାର ପାଇବେ ସେନେଇ ଏବେ ଘୋର ଅସନ୍ତୋଷ ଓ ଆଶଙ୍କା ସୃଷ୍ଟି ହୋଇଛି ।