ନୂଆଦିଲ୍ଲୀ, ୧୭/୦୭ : ଇରାକର ଏକ ସପିଂ ମଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି ୫୦ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସେପଟେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ତେବେ ବିଲ୍ଡିଂରେ ନିଆଁ ସହ ଧୂଆଁ ବାହାରୁଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଭୟଙ୍କର ଭାବେ ନିଆଁ ଲାଗିଛି । ସେପଟେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ସଂଘର୍ଷ କରୁଛନ୍ତି । ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦କୁ ବୃଦ୍ଧି ପାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୱାସିଟ୍ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ୍-ମିଆହି କହିଛନ୍ତି ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ତଦନ୍ତର ପ୍ରାଥମିକ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରାଯିବ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କୋଠାର ପ୍ରଥମ ମହଲାରେ ନିଆଁ ଲାଗିଥିଲା, ଧୀରେ ଧୀରେ ଏହା ପୁରା ବିଲ୍ଡିଂରେ ବ୍ୟାପି ଯାଇଥିଲା । ନିକଟସ୍ଥ ହସ୍ପିଟାଲ ଗୁଡ଼ିକରେ ଆହତଙ୍କୁ ଭର୍ତ୍ତି କରାଯାଇଛି ଓ ସେମାନଙ୍କର ଚିକିତ୍ସା ଚାଲିଛି । କହି ରଖୁଛୁ ଏହି ମଲଟି ମାତ୍ର ୫ ଦିନ ପୂର୍ବରୁ ଖୋଲା ଯାଇଥିଲା ।
