ଭୁବନେଶ୍ୱର, ୦୨/୦୩ : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶେଷ ଦିନରେ ପିଲା ଗଣିତ ପରୀକ୍ଷା ଦେଇ ଘରକୁ ଫେରିଛନ୍ତି । କାଁ ଭାଁ କେତୋଟି ତ୍ରୁଟି ଛାଡ଼ିଦେଲେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ମାଟ୍ରିକ୍ ପରୀକ୍ଷା ସମାପନ ହୋଇଛି । ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ୩୦୮୨ ସେଣ୍ଟରରେ ୫ ଲକ୍ଷ ୬୧ ହଜାର ୯୭୯ ପିଲା ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ କୌଣସି ପିଲା କପି କରିବାରେ ଧରାପଡ଼ିନାହାଁନ୍ତି । ଯାହାକି ମାଟ୍ରିକ ପରୀକ୍ଷା ଇତିହାସରେ ପ୍ରଥମ ବୋଲି କହିଛନ୍ତି ବୋର୍ଡ ସଭାପତି । ପ୍ରଶ୍ନପତ୍ର ଲିକ୍, କପି, ହିଂସା ଭଳି ଘଟଣା ଘଟିନାହିଁ । ଓଏମ୍ଆର୍ ବା ଓବଜେକ୍ଟିଭ୍ ଖାତା ଦେଖା ଆରମ୍ଭ ହୋଇସାରିଲାଣି । ଆସନ୍ତା ୧୯ ତାରିଖରୁ ସବଜେକ୍ଟିଭ୍ ଉତ୍ତର ଖାତା ଦେଖା ଆରମ୍ଭ ହେବ । ମୋଟ ୫୧ଟି କେନ୍ଦ୍ରରେ ୧୫ ହଜାର ପରୀକ୍ଷା ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ । ଯଦି କୌଣସି ପାଣିପାଗ ପରିସ୍ଥିତି ନ ଆସେ ତେବେ ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।