୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ; ଆଜିଠୁ ନୋଡାଲ୍‌ ସେଣ୍ଟର୍‌କୁ ପଠାଯିବ ମାଟ୍ରିକ୍ ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୦/୦୨ : ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ପରୀକ୍ଷା ଲାଗି ପ୍ରସ୍ତୁତ ପ୍ରଶ୍ନପତ୍ର, ଓଏମ୍ଆର୍ ସିଟ୍ ଏବଂ ଖାତା ଆଦି ମହଜୁଦ୍ ରଖିବା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ୩୨୨ଟି ନୋଡାଲ୍ ସେଣ୍ଟର କରାଯାଇଛି । ଉକ୍ତ ନୋଡାଲ୍ ସେଣ୍ଟରଗୁଡ଼ିକ ମଧ୍ୟରୁ ୫ଟି ଜିଲ୍ଲା ତଥା କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାର ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବ ବୋଲି ସୂଚନା ମିଳିଛି । କଣ୍ଟେନର୍ରେ କଡ଼ା ସୁରକ୍ଷା ବଳୟରେ ଆର୍ମଡ୍ ପୁଲିସ ସହାୟତାରେ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା ରହିଛି । ନୋଡାଲ୍ ସେଣ୍ଟରରେ ୨୪ ଘଣ୍ଟିଆ ପୁଲିସ ମୁତୟନ ରହିବା ସହ କ୍ଲୋଜ୍ ସର୍କିଟ୍ କ୍ୟାମେରା ଖଞ୍ଜାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି । ଆସନ୍ତା ୧୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରହିଛି । ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଜିଲ୍ଲାରେ ୭ଟି ଥାନା, ମାଲକାନଗିରି ଜିଲ୍ଲାର ୮ଟି ଥାନା ଓ ଦୁଇଟି ଫାଣ୍ଡିରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନୋଡାଲ୍ ସେଣ୍ଟର କରାଯାଇଥିବାରୁ ସେଠାରେ ପ୍ରଶ୍ନ ରଖାଯିବା ଲାଗି ବ୍ୟବସ୍ଥା ରହିଛି । ବାକି ଅନ୍ୟ ସମସ୍ତ ଜିଲ୍ଲାର ବ୍ଲକ ସ୍ତରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିବା ବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର ଭାବେ ଚୟନ କରାଯାଇଛି । ଏଥର ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି ) ପରୀକ୍ଷା ପାଇଁ ୧୨ ହଜାର ୪୧୪ ଓ ମଧ୍ୟମା ପରୀକ୍ଷା ପାଇଁ ୨ ହଜାର ୭୪୮ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ମାଟ୍ରିକ୍ ପରୀକ୍ଷା କେନ୍ଦ୍ର, ନୋଡାଲ୍ ସେଣ୍ଟର, ଏସ୍ଓଏସ୍‌ସି ଓ ମଧ୍ୟମା ପରୀକ୍ଷା କେନ୍ଦ୍ର ମିଶି ସମୁଦାୟ ୩ ହଜାର ୮୨ ସେଣ୍ଟର୍ ପାଇଁ ବୋର୍ଡ ପକ୍ଷରୁ କ୍ଲୋଜ୍ ସର୍କିଟ୍ କ୍ୟାମେରାରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏ ହେବାକୁ ଥିବା ପରୀକ୍ଷାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ସହ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ।