ଭୁବନେଶ୍ୱର, ୦୯/୦୨ : ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ସ୍କୁଲ ପୋଷାକ। ୧୦ଦିନ ରହିଲା ମାଟ୍ରିକ ପରୀକ୍ଷା । ଏନେଇ ଆମେ ଗ୍ରାଉଣ୍ଡ ଜିରୋରୁ ସତ ଦେଖାଇବା ପରେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ମାସ ମାସ ଧରି ପୋଷାକ ନ ବାଣ୍ଟି ନିଦାବିଷ୍ଣୁ ସାଜିଥିବା ବାବୁ ଏବେ ତରବରିଆ ଭାବେ ବୈଠକ କରିଛନ୍ତି । ରବିବାରରେ ଜୁମ୍ କଲ୍ ଜରିଆରେ ଯୋଡି ହୋଇ ତୁରନ୍ତ ପୋଷାକ ବାଣ୍ଟିବାକୁ ସମସ୍ତ ପ୍ରଧାନଶିକ୍ଷକ, ବିଇଓ, ବିଆରସିସି ଓ ଭେଣ୍ଡରଙ୍କୁ ଚାପ ପକାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଭେଣ୍ଡର। ଏତେ ଶୀଘ୍ର କେଉଁଠୁ ଆଉ କେମିତି ଆଣି ପୋଷାକ ବାଣ୍ଟିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ଏପରିକି କିଛି ଭେଣ୍ଡର ସିଧାସଳଖ ପ୍ରଶ୍ନ କରିଛନ୍ତି ଆଜି ପର୍ୟ୍ୟନ୍ତ କେଉଁଠି ଶୋଇଥିଲ । ତିନିମାସ ତଳୁ କାହିଁକି ପୋଷାକ ବାଣ୍ଟିବା ଉପରେ ଗୁରୁତ୍ବ ଦେଉ ନଥିଲ । ଅନ୍ୟପଟେ ଦଶମ ପରୀକ୍ଷାକୁ ମାତ୍ର ୧୦ ଦିନ ଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ପୋଷାକକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ପିଲାଙ୍କ ପୋଷାକ ପାଇଁ ଜିଲ୍ଲାକୁ ଆସିଥିବା ୭କୋଟି ଟଙ୍କାର ବଡ ଭାଗକୁ ସମ୍ପୂର୍ଣ୍ଣ ଖାଇଦେବାକୁ ବାବୁ ଓ ତାଙ୍କ ସହଯୋଗୀ ମସୁଧା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଜିଲ୍ଲା ଶିକ୍ଷାଧିକାରୀ କାଲି ଯେଉଁ ଅଭିଯୋଗ ଆଣିଥିଲେ ତାହା ସତ ହୋଇଥିଲେ ସାଂଘାତିକ । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଯଦି ଏବେ ବି ପୋଷାକ ବଣ୍ଟା ଚାଲିଛି ତାହେଲେ, ଗଣଶିକ୍ଷା ବିଭାଗର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ବଜେଟରେ ମୁଖ୍ୟମନ୍ତ୍ରୀ ସ୍କୁଲ ୟୁନିଫର୍ମ ପାଇଁ ୧୦୮ କୋଟି ଟଙ୍କା ବ୍ୟୟବରାଦ ଦେଇଥିଲେ । ଏହାପରେ ବି ଏପରି ବିଭ୍ରାଟ ଦୁର୍ନୀତିର ଗନ୍ଧ ନେଇ ପ୍ରଶ୍ନ ଉଠାଇଛି।