ଭୁବନେଶ୍ୱର, ୧୮/୦୨ : ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ରାଜ୍ୟର ମାଟ୍ରିକ ବୋର୍ଡ ପରୀକ୍ଷା ହେବ । ରାଜ୍ୟର ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ପାଇଁ ଓଏମଆର ସିଟ ଓ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରୁ ନୋଡାଲ ସେଣ୍ଟରରେ ପହଞ୍ଚିଛି। ୩୨୨ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହି ଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ଅନୁଯାୟୀ ଫେବୃଆରୀ ୧୯ ରେ ପ୍ରଥମ ଭାଷା ପରୀକ୍ଷା । ସମସ୍ତ ପରୀକ୍ଷା ସକାଳ ୯ ଟାରୁ ସାଢେ ୧୧ ଯାଏଁ ଗୋଟିଏ ସିଟିଂରେ ହେବ। ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦେଉଛି ବୋର୍ଡ। କପି ରୋକିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩୭ ଟି ସ୍କ୍ୱାର୍ଡ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ୭୨ ଟି ସ୍କ୍ୱାଡ ହୋଇଛି। ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା।