ଫୁଲବାଣୀ,୨୬/୬ : କନ୍ଧମାଳ ମେଡିକାଲ୍ କଲେଜ ମାଷ୍ଟର୍ ପ୍ଲାନ୍କୁ ଆଜି ଯାଏ ମିଳୁନି ଅନୁମୋଦନ। ଫଳରେ ୩୦ ମାସ ଅବଧି ମଧ୍ୟରେ ମେଡିକାଲ୍ କଲେଜ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯେଉଁ ସମୟ ଧାର୍ଯ୍ୟ ହୋଇଛି, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବାରମ୍ବାର ମାଷ୍ଟର୍ ପ୍ଲାନ୍ ପରିବର୍ତ୍ତନ ହେବା ଯୋଗୁଁ ଏହି ସମସ୍ୟା ସୃଷ୍ଟିହୋଇଛି।
ଫୁଲବାଣୀ ସହର ଉପକଣ୍ଠ କଲାଡ଼ି-ତିଲକପଡ଼ାଠାରେ ୪୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଗତ ଏପ୍ରିଲ ୨ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷ୍ଣନ୍ କୁମାରଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦିନିକିଆ କନ୍ଧମାଳ ଗସ୍ତରେ ଆସି ମେଡ଼ିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଓ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ମେଡିକାଲ କଲେଜ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଦିଆଯାଇଥିବା ଜମିକୁ ନେଇ ଉଚ୍ଚସ୍ତରୀୟ କମିଟି ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏଥି ପାଇଁ ଆଉ ଅଧିକ ଜମି ପ୍ରଦାନ କରିବାକୁ ସୁପାରିସ କରାଯାଇଥିଲା। ଫଳରେ ପୂର୍ବ ପ୍ରସ୍ତୁତ ମାଷ୍ଟର୍ ପ୍ଲାନ୍କୁ ବଦଳା ଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଗତ ୨୦୨୦ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ୍ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ। କଲାଡ଼ି-ତିଲକପଡ଼ା ମୌଜାରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟାର ହସ୍ପିଟାଲ୍ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା। ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ ଅର୍ଥାତ୍ ୨୦୨୩ ଅଗଷ୍ଟ ୨୬ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ନୂଆ ମେଡିକାଲ କଲେଜ କ୍ୟାମ୍ପସ୍ରେ ୩୦୦ ସିଟ୍ ବିଶିଷ୍ଟ ଛାତ୍ରାବାସ, ୧୫୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୬୫୦ କ୍ଷମତା ବିଶିଷ୍ଟ ଅଡ଼ିଟୋରିୟମ୍ ଏବଂ ଶହେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତର ହଷ୍ଟେଲ୍ ନିର୍ମାଣ କରାଯିବ ବୋଲି ମାଷ୍ଟର୍ ପ୍ଲାନ୍ରେ ଉଲ୍ଲେଖ ରହିଛି।
ପ୍ରାଥମିକ ପର୍ଯ୍ୟାୟରେ ୩୦ ଏକର ଜମି ଉପରେ ମେଡ଼ିକାଲ କଲେଜ ନିର୍ମାଣ ହେବା ନେଇ ନିର୍ମାଣକାରୀ ସଂସ୍ଥା ମେସର୍ସ ସାପୁରଜି ପାଲୋନ୍ଜି ଆଣ୍ଡ୍ କମ୍ପାନି ପ୍ରାଇଭେଟ ଲିମିଟେଡ୍ ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୭ ଏକର ଜମିର ବିକାଶ ନେଇ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି କରାଯାଇଥିଲା। ମାତ୍ର ଗତ ଏପ୍ରିଲ ୨ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଆସିଥିବା ହାଇଲେବଲ୍ କମିଟି ପ୍ରକଳ୍ପର ସମୀକ୍ଷା କରିବା ପରେ ଏଥି ପାଇଁ ଆହୁରି ଅଧିକ ୨୨ ଏକର ଜମି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ମେଡ଼ିକାଲ କଲେଜ ପାଇଁ ମୋଟ ୫୨ ଏକର ଜମି ପ୍ରଦାନ କରିବା ପରେ ସାନି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇ ଇଆଇସି ବିଲ୍ଡିଂ ଏବଂ ଡିଏମ୍ଇଟିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି।