ଭୁବନେଶ୍ବର : ଏମ୍ବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ମେଡିକାଲ କଲେଜଗୁଡ଼ିକ ଲାଗି ସିଟ୍ ତାଲିକା ଜାରି ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶାର ୧୨ଟି ମେଡିକାଲ କଲେଜର ୧୭୦୦ ଏମ୍ବିବିଏସ୍ ଓ ୧୬୩ ବିଡିଏସ୍ ସିଟ୍କୁ ମିଶାଇ ମୋଟ ୧୮୬୩ ସିଟ୍ରେ ନାମଲେଖା କରାଯିବ। ସେଥିମଧ୍ୟରୁ ଓଜେଇଇ ପକ୍ଷରୁ ୧୪୮୧ ଏମ୍ବିବିଏସ୍ ଓ ୧୫୪ ବିଡିଏସ୍ ସିଟ୍ ଲାଗି କାଉନସେଲିଂ ଅନୁଷ୍ଠିତ ହେବ।
ଉଭୟ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଚଏସ୍ ଫିଲିଂ ଓ ଲକିଂ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ଆସନ୍ତା ୨୩ ତାରିଖ ରାତି ୧୧ଟା ୫୫ ଯାଏ ଚାଲିବ। ୨୬ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ୍ ଆଲଟ୍ମେଣ୍ଟ ହେବ। ୨୮ ତାରିଖରେ ପ୍ରଥମ ରାଉଣ୍ଡ ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀ ଆଲ୍ଟମେଣ୍ଟ ଲେଟର ଡାଉନ୍ଲୋଡ୍ କରିପାରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୪ ମଧ୍ୟରେ ପ୍ରୋଭିଜନାଲ ନାମଲେଖା, ଫି’ ଦାଖଲ ଓଜେଇଇ ସେଲ୍ରେ କରାଯିବ। ୨ରୁ ୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ।
ନଭେମ୍ବର ୬ରେ ଖାଲି ସିଟ୍ ତାଲିକା ପ୍ରକାଶ କରାଯିବ। ୭ରୁ ୧୦ ତାରିଖ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପଞ୍ଜିକରଣ, ୧୨ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୨ରୁ ୧୪ ତାରିଖ ମଧ୍ୟରେ ନୂତନ ଭାବେ ପଞ୍ଜିକୃତ ହୋଇଥିବା ପିଲାମାନେ ଚଲସ୍ ଲକିଂ ଓ ଫିଲିଂ କରିପାରିବେ। ନଭେମ୍ବର ୧୬ରେ ଦ୍ବିତୀୟ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍ମେଣ୍ଟ ହେବା ସହ ୧୮ ତାରିଖରେ ଦ୍ବିତୀୟ ରାଉଣ୍ଡ ଆଲଟ୍ମେଣ୍ଟ ଲେଟର ପ୍ରକାଶ ଏବଂ ୧୯ରୁ ୨୧ ଯାଏ ନାମଲେଖା ହେବ। ୨୧ରୁ ଡିସେମ୍ବର ୩ ମଧ୍ୟରେ ପ୍ରାର୍ଥୀ ନାମଲେଖା ପ୍ରକ୍ରିୟାରୁ ଓହରି ପାରିବେ। ଡିସେମ୍ବର ୬ରେ ସ୍ପଟ୍ ରାଉଣ୍ଡ କାଉନସେଲିଂ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।