ଭୁବନେଶ୍ବର,୩୧ /୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ଲଢ଼େଇରେ ସହିଦ ହୋଇଥିବା ଯୋଦ୍ଧାଙ୍କ ପରିବାରଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେ ଏହି ଅବସରରେ ସହିଦ କୋଭିଡ଼ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ସ୍ଥାପନ ହେବ ସ୍ମାରକୀ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିବଂଗତ ଯୋଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ତ୍ୟାଗ କେବେ ବି ବିଫଳ ହେବ ନାହିଁ ଏବଂ ଏହି ଲଢ଼େଇରେ ଆମେ ବିଜୟୀ ହେବା ବୋଲି କହିଛନ୍ତି । ଏହାଛଡ଼ା ଭୁବନେଶ୍ବରରେ ସ୍ଥାପିତ ହେବେ ସ୍ମାରକୀରେ କୋଭିଡ଼ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ପୁଣି କହିଥିଲେ ଯେ, ଆପଣଙ୍କ ପରିବାରର ତ୍ୟାଗ ଓ ବଳିଦାନକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ । ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ । ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ । ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।