ଭୁବନେଶ୍ବର : ଦମ୍ପତିଙ୍କ ଠାରୁ ସରକାରୀ ଚାକିରି କରାଇଦେବା ନାଁରେ ୧୩ ଲକ୍ଷ ଟଙ୍କା ଠକି ନେଇଛି କିରାଣି ବିଭୂତି ଭୂଷଣ ମିଶ୍ର । ଲକ୍ଷ୍ମୀସାଗର ଥାନା ପୁଲିସ ଗ୍ରାମ୍ୟ ଉନ୍ନୟନ ବିଭାଗ, ନୟାଗଡ଼ ରଣପୁର ଡିଭିଜିନର କିରାଣି ବିଭୂତି ଭୂଷଣ ମିଶ୍ରଙ୍କୁ କୋର୍ଟଚାଲାଣ କରିଛି । ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କୁ ପୁରୀ ବାସେଳିସାହିସ୍ଥିତ ଘରୁ ଉଠାଇ ଆଣିଥିଲା। ଜାମିନ୍ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ବିଭୂତି ଏକ ନକଲି କନ୍ସଲ୍ଟାନ୍ସି ଖୋଲି ବହୁ ଚାକିରି ଆଶୟୀଙ୍କୁ ଲୁଟିଥିବା ଜଣାପଡ଼ିଛି । ଲକ୍ଷ୍ମୀସାଗର ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇନଥିଲେ ହେଁ ବିଭୂତି ପ୍ରାୟ ୪ କୋଟିରୁ ଅଧିକ ଟଙ୍କା ଠକିଥିବା ଚର୍ଚ୍ଚା ହେଉଛି।
୨୦୧୪ ମସିହାରେ ବିଭୂତିଙ୍କ ନକଲି କନ୍ସଲ୍ଟାନ୍ସିର ଜଣେ ଏଜେଣ୍ଟ ଘଟଣାକ୍ରମେ ଦେବାଶିଷ ଦାସଙ୍କୁ ଭେଟି ଚାକିରି ବାବଦରେ କଥା ହୋଇଥିଲେ। କିନ୍ତୁ ଦେବାଶିଷ ସିଧାସଳଖ ବିଭୂତିଙ୍କ ସହ ଯୋଗାଯୋଗ କରିବାକୁ ଇଚ୍ଛା କରିଥିଲେ। କଟକ ଡିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗର ସୁପରିନ୍ଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଅଧୀନରେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ପଦବିରେ ଚାକିରି କରାଇଦେବ ବୋଲି ବିଭୂତି ପ୍ରତିଶ୍ରୁତି ଦେଇଥିଲେ ଏବଂ ୪ଲକ୍ଷ ଟଙ୍କା ନେଇଥିଲେ।
୪ ଲକ୍ଷ ଟଙ୍କା ଗଣି ସାରି ୩ ବର୍ଷ ହେଲା ଧାଉଁଥିବା ସତ୍ତ୍ବେ ଦେବାଶିଷ ପୁଣି ବିଭୂତିଙ୍କ ମାୟା ଜାଲରେ ଫସି ଯାଇଥିଲେ। କିରାଣି ଚାକିରିଟି ତାଙ୍କ ସ୍ତ୍ରୀଙ୍କ ପାଇଁ ବୁଝିଦେବାକୁ ଅନୁରୋଧ କରିଥିଲେ ଏବଂ ଏଥିପାଇଁ ବିଭୁତି ଧାର୍ଯ୍ୟ କରିଥିବା ୯ ଲକ୍ଷ ଟଙ୍କା ଗଣି ଦେଇଥିଲେ। ତେବେ ଏହା ଭିତରେ ୨ ବର୍ଷ ବିତିବା ପରେ ଯେତେବେଳେ ଦେବାଶିଷ କିମ୍ବା ତାଙ୍କ ସ୍ତ୍ରୀ କେହି ଚାକିରି ପାଇଲେ ନାହିଁ, ସେତେବେଳେ ସେମାନେ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇଥିଲେ। ୨୦୧୯ ଡିସେମ୍ବରରେ ବିଭୁତି ସବୁ ଟଙ୍କା ଫେରାଇବେ ବୋଲି ଏକ ଚୁକ୍ତିନାମା କଲେ। କିନ୍ତୁ ଟଙ୍କା ଫେରାଇବା ନାଁ ଧରିଲେ ନାହିଁ। ଏମିତିରେ ପୁଣି ୩ ବର୍ଷରୁ ଅଧିକ ଦିନ ଗଡ଼ାଇଦେଲେ। ଶେଷରେ ବାଧ୍ୟହୋଇ ଦେବାଶିଷ ଗତ ଫେବ୍ରୁଆରି ୨୪ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ବିଭୂତି ବିଭିନ୍ନ ପର୍ଯ୍ୟାୟରେ ପୀତବାସଙ୍କଠାରୁ ୧୫ ଲକ୍ଷ ଟଙ୍କା, ପ୍ରତାପ ଓ ଖଗେନ୍ଦ୍ରଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି।
