ନୂଆଦିଲ୍ଲୀ,୪/୩ : ପ୍ରସିଦ୍ଧ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। କେରଳ ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁରେନ୍ଦ୍ରନ ଏ ନେଇ ଘୋଷଣା କରିଛନ୍ତି। ଖୁବ ଶୀଘ୍ର ବିଜେପି ଅଫିସିଆଲି ଏହାର ଘୋଷଣା କରିବ। ଶ୍ରୀଧରନ ବିଜେପିରେ ସାମିଲ ହେବା କେରଳରେ ବିଜେପି ପାଇଁ ବଡ ଉପଲବ୍ଧି। ମେଟ୍ରୋ ମ୍ୟାନ ନାମରେ ପରିଚିତ ଶ୍ରୀଧରନଙ୍କ ଛବି ଜଣେ ସଚ୍ଚୋଟ ବ୍ୟକ୍ତିର। ଫେବୃଆରୀ ୨୫ ତାରିଖରେ ବିଜେପିରେ ସାମିଲ ହୋଇଥିଲେ। ଗୁରୁବାର ଦିନ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC ରୁ ଇସ୍ତଫା ଦେବାପରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ।

୨୦୧୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ଇ ଶ୍ରୀଧରନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି କହିଥିଲେ ଯେ ମୋଦି ଦେଶର ସବୁଠାରୁ ଯୋଗ୍ୟ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ବୋଲି ସେ କହିଥିଲେ। ବିଜେପିରେ ସାମିଲ ହେବାପରେ ସେ କହିଥିଲେ ଯେ ସେ ବିଜେପିରେ ଯୋଗଦେବା ନିଷ୍ପତ୍ତି ଗୋଟିଏ ଦିନରେ କରିନଥିଲେ। ସେ ରାଜ୍ୟ ପାଇଁ କାମ କରିବାକୁ ଚାହୁଁଛନ୍ତି ସେଥିପାଇଁ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। କେରଳ ସରକାରଙ୍କ ମେଟ୍ରୋ ପ୍ରକଳ୍ପ ପାଇଁ କନ୍ସଲଟାନ୍ସି ବନ୍ଦ କରିଦେବେ ବୋଲି କହିଛନ୍ତି।