ଟୁ ପ୍ଲସ ଟୁ ବୈଠକ : ଆଜି ଭାରତ ପହଞ୍ଚିବେ ଆମେରିକା ବିଦେଶ ସଚିବ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ, ୨୬/୧୦ : ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଟି ଆସ୍ପର ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଆଜି ଭାରତରେ ପହଞ୍ଚିବେ । ଭାରତ-ଚୀନ ବିବାଦ ଓ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ହେଉଥିବା ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବାର ଆଶଙ୍କା ରହିଛି । ଏହି ବୈଠକ ଆଜି ଓ ଆସନ୍ତାକାଲି ଦିଲ୍ଲୀରେ ଅନୁଷ୍ଠିତ ହେବ ।

ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବୈଠକରେ ମାଇକ ପୋମ୍ପିଓ ଓ ମାର୍କ ଆସ୍ପର ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିବେ । ଏହା ପରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବେ ।

ଆମେରିକା ବିଦେଶ ସଚିବ ମାଇକ ପୋମ୍ପିଓ ନିଜର ୨ ଦିନିଆ ଗସ୍ତ ନେଇ ଭାରତ ଅଭିମୁଖେ ବାହାରିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ଭାରତ, ଶ୍ରୀଲଙ୍କା, ମାଳଦୀପ ଓ ଇଣ୍ଡୋନେସିଆ ଲାଗି ଯାତ୍ରା ଆରମ୍ଭ କରିଛି । ସ୍ୱତନ୍ତ୍ର, ମଜବୁତ ଓ ସମୃଦ୍ଧ ରାଷ୍ଟ୍ର ସହିତ ଇଣ୍ଡୋ ପେସିଫିକ କ୍ଷେତ୍ର ସହ କାମ କରିବା ଲାଗି ଏହି ଗସ୍ତ ବୋଲି ସେ ଲେଖିଛନ୍ତି ।