ଭୁବନେଶ୍ୱର, ୨୨/୧୨ : ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି । ଚିଟଫଣ୍ଡ୍ ଜମାକାରୀମାନେ ଆବେଦନ କଲେ ପର୍ଯ୍ୟାୟ କ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ କରିବାକୁ ମନ ସ୍ଥିର କରିଛନ୍ତି । ଯେଉଁମାନେ ପଇସା ଜମା କରିଛନ୍ତି ସେମାନେ ଆବେଦନ କଲେ ପର୍ଯ୍ୟାୟ କ୍ରମେ ଟଙ୍କା ଫେରସ୍ତ କରାଯିବ । ଆମକୁ ଲୋକଙ୍କ ସେବା କରିବାକୁ ଦାୟିତ୍ୱ ମିଳିଛି । ଯାହା ଯାହା ସମସ୍ୟା ଅଛି ଆମେ ସମାଧାନ କରିବୁ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ କହିବାକୁ କେମିତି ଜିଭ ଲେଉଟିଛି । ତାଙ୍କରି ସମୟରେ ଚିଟଫଣ୍ଡ୍ ହୋଇଛି । ତାଙ୍କରି ସମୟରେ ସିବିଆଇ ତଦନ୍ତ ହେଲା ଏବଂ ଗିରଫ ହେଲେ । ସେମାନେ ଟଙ୍କା ଫେରସ୍ତ କରିବା କଥା । କିନ୍ତୁ ସେମାନେ ଟଙ୍କା ନ ଫେରାଇ ବିଜେପି ସରକାର ଆସିବା ପରେ ଦୋଷ ଦେଉଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଯେ ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି । ଲକ୍ଷାଧିକ ଚିଟ୍ଫଣ୍ଡ୍ ଜମାକାରୀ ଟଙ୍କା ପାଇ ସାରିଲେଣି । ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି । ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ । ଏମିତିକି ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି କହିଛନ୍ତି ମନମୋହନ ।
