ବାଲେଶ୍ୱର: ହେଲମେଟ ଚେକିଂକୁ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ଆଜି ଟ୍ରାଫିକ ପୋଲିସ ହାବୁଡ଼ରେ ପଡିଛନ୍ତି ମନ୍ତ୍ରୀ ଓ ବିଧାୟକ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଗାଡ଼ିମାଲିକଙ୍କଠାରୁ ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଜରିମାନା ଆଦାୟ କରିଛି।

ହେଲମେଟ୍ ନପିନ୍ଧିବାରୁ ୧୦୦୦ ଫାଇନ ଗଣିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ସ୍ୱରୂପ ଦାସ । ମନ୍ତ୍ରୀ ସମୀର ଦାଶଙ୍କୁ ବାଇକ ପଛରେ ବସାଇ ବୁଲାଉଥିଲେ ବିଧାୟକ ସ୍ୱରୂପ ଦାସ । ବିଭିନ୍ନ ସ୍କୁଲକୁ ଯାଞ୍ଚ ପାଇଁ ଯିବା ବେଳେ ଟ୍ରାଫିକରେ ସେମାନେ ଧରାପଡିଥିଲେ । ଉଭୟ ହେଲମେଟ୍ ବ୍ୟବହାର କରିନଥିବାରୁ ସେମାନଙ୍କ ଉପରେ ଜରିମାନା ଲାଗିଛି । ବାଇକ ମାଲିକଙ୍କ ନାଁରେ ଚାଲାଣ କଟାଯିବାରୁ ବିଧାୟକ ଫାଇନ୍ ଦେଇଛନ୍ତି । ବାଲେଶ୍ୱର ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ଉଭୟ ଧରାପଡିଥିଲେ ।
ସୂଚନାଯୋଗ୍ୟ, ବାଲେଶ୍ୱର ଗସ୍ତରେ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଅଚାନକ ସ୍କୁଲରେ ପହଞ୍ଚିଥିଲେ। ବାଲେଶ୍ୱର ସହରର ବିଭିନ୍ନ ସ୍କୁଲ ବୁଲି ଦେଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଆଜି ସକାଳେ ମନ୍ତ୍ରୀ ଓ ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ୱର ଟାଉନ ହାଇସ୍କୁଲ, ବାରବାଟୀ ଗାର୍ଲସ ହାଇସ୍କୁଲ ଆଦି ସ୍କୁଲ ବୁଲି ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏନେଇ ମନ୍ତ୍ରୀ କହିଛନ୍ତି ସ୍କୁଲରେ କିପରି ବ୍ୟବସ୍ଥା ରହିଛି ସେନେଇ ବୁଲି ଦେଖିବା ସହିତ ପିଲାଙ୍କ ଅଵଶ୍ୟକତା ନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ସଦର ବିଧାୟକ ସ୍ୱରୂପ ଦାସଙ୍କ ବାଇକରେ ବସି ସହର ବୁଲିବା ସହିତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।