ରାଉରକେଲାରେ ସ୍କର୍ପିଓ ଜାଳିଲେ ଦୁର୍ବୃତ୍ତ, ହେଉଥିଲା ଆପତ୍ତିଜନକ ସାମଗ୍ରୀ ଚାଲାଣ !

ରାଉରକେଲା, ୩୦/୧୦ : ରାଉରକେଲା ଟାଙ୍ଗରପାଲି ଥାନା କଚରାପଲ୍ଲୀ ହେକେଟ ରୋଡ଼ରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଏକ ସ୍କର୍ପିଓ ଗାଡ଼ିକୁ ଜାଳି ଦେଇଛନ୍ତି । ସ୍କର୍ପିଓରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ କରାଯାଉଥିବାର ଦୁର୍ବୃତ୍ତମାନେ କାର ଜାଳି ଦେଇଥିବା ଜଣାଯାଇଛି । ତେବେ କାର ଭିତରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ ଜଣେ ମହିଳା ଓ ଅନ୍ୟ ୨ ଜଣ ପୁରୁଷ ସ୍କର୍ପିଓରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ କରୁଥିଲେ । ଏହି ସାମଗ୍ରୀ ଚାଲାଣ ନେଇ କିଛି ଲୋକ ସୂଚନା ପାଇଥିଲେ । ୧୦ ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ସ୍କର୍ପିଓକୁ ଅଟକାଇଥିଲେ । କିନ୍ତୁ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ବୃତ୍ତମାନେ ସ୍କର୍ପିଓକୁ ଜାଳି ଦେଇଥିବା ଜଣାଯାଇଛି । ତେବେ ଟାଙ୍ଗରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।