ମିଶନ ଶକ୍ତି ମା’ମାନଙ୍କ ଭାଗୀଦାରୀ ଲାଗି ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର,୬/୧: ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ମିଶନ ଶକ୍ତିର ମା’ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ। ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ଯ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ। ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦ ଲକ୍ଷ ଲେଖାଏ ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା।

ଏହି ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କମାନଙ୍କୁ ଆହ୍ବାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡ଼ିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ସେ କହିଥିଲେ।