ଶାଶୁର କିଂଚିତ ସେବାରେ ସୁଧୁରୁନି ପକ୍ଷାଘାତ ରୋଗଗ୍ରସ୍ତ ବୋହୁ କମଳାଙ୍କ ସ୍ୱାସ୍ଥ୍ୟlବସ୍ଥା, ସହାୟତା ପାଇଁ ନିବେଦନ

ମାର୍ଶାଘାଇ,୪ /୧୦: (କେଶବ ଚନ୍ଦ୍ର ନାଥ) – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ସଦର ମାର୍ଶାଘାଇ ପଞ୍ଚାୟତ ଅନ୍ତର୍ଗତ ତୁଳସୀ ପୁର ଗ୍ରାମର ରୁଗ୍ଣ କମଳା ଜେନା ୬ ମାସହେବ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ୬ ବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଚାରି ଛୋଟ ପିଲା ଓ ବୁଢ଼ୀ ଶାଶୁ ସମେତ ପାଞ୍ଚ ପରିବାରକୁ ମୂଲପାତି ଲାଗି ଚଳାଉଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବାରୁ ଭୂମିହୀନ ପରିବାରଟି ପର ଜାଗାରେ ଘର ଖଣ୍ଡେ କରି ରହୁଛନ୍ତି । କିନ୍ତୁ ବୋହୁ କମଳା ରୋଗଗ୍ରସ୍ତ ହୋଇ ଘରେ ପଡିରହିବାରୁ ପରିବାର ଚଳିବା କଷ୍ଟ ସାପେକ୍ଷ ହୋଇ ପଡିଥିଲା ।

ଏନେଇ ଶାଶୁ ବୁଢି ଘରୁ ଗୋଡ଼ କାଢି ମାଗିଯାଚି ଆଣିବାରୁ ତିନି ବେଳାରେ ବେଳାଏ ଖାଇ ଦୁଃଖ କଷ୍ଟେ ପରିବାରଲୋକେ ଦିନକଟାଉଛନ୍ତି । ବିଧିର ବିଡମ୍ବନା ଯେଉଁ ବୟସରେ ବୋହୁ ଶାଶୁର ସେବା କରିବା କଥା ସେହି ସମୟରେ ଶାଶୁ ବିନା ଦ୍ୱିଧାରେ ବୋହୂର ସେବାକରୁଛି । ଘରେ କାଣି କଉଡ଼ିଟିଏ ନଥିବାରୁ ଶlଶୁ ତାର ସ୍ୱଳ୍ପ ରୋଜଗାରରୁ କିଛି ଔଷଧ କିଣି ବୋହୁ ମୁହଁରେ ଦେଇ ଆଶୁ ଆରୋଗ୍ୟ କାମନାକରନ୍ତି । ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଖୀ, ରୋଗୀ ଓ ନିଃସହାୟ ବୟସ୍କ ପାଇଁ ସହାୟତା ଦେବାର ବ୍ୟବସ୍ଥା ଥିବା ବେଳେ ସ୍ଥାନୀୟ ସରକାରୀ ବାବୁମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବିହେଉଛି । ଏହି ଦୁଃଖଦ ସମୟରେ ରୋଗଗ୍ରସ୍ତ କମଳାଙ୍କ ପରିବାରକୁ ପ୍ରଶାସନ ହେଉ ବା ସ୍ବେଛାସେବୀ ସଙ୍ଘଠନ ନତୁବା କେହି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ଅସହାୟ ପରିବାରଟି ବଂଚି ଯିବ ।