ମହାକାଳପଡ଼ା,୧୧/୪ : କେନ୍ଦ୍ରାପଡା ଜିଲ୍ଲାର ଉପକୂକ ତହସିଲ ଭାବେ ଜଣାଶୁଣା ମହାକାଳପଡ଼ା ଅଂଚଳରେ ଥିବା ଶହ ଶହ ଏକର ସରକାରୀ ଜମି ସୁରକ୍ଷା ଅଭାବରୁ ଦିନକୁ ଦିନ ମାଫିଆଙ୍କ କବ୍ଜାରେ କବଳିତ ହେଉଛି l ଝାଟି ଜଙ୍ଗଲ କିସମ ଜମି ସୁରକ୍ଷା ନେଇ ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଉଦ୍ୟମରେ ଶହ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି l ମାତ୍ର ଅନ୍ୟ ପକ୍ଷରେ ଜଙ୍ଗଲ କିସମ ଜମିକୁ ଦଖଲକରି କେତେକ ଜମି ମାଫିଆ ସୌଧ ଉପରେ ସୌଧ ନିର୍ମାଣ କରୁଛନ୍ତି l ଉଲ୍ଲେଖ ଥାଉକି ମହାକାଳପଡ଼ା ତହସିଲ ଅଧୀନ ରାମଚଣ୍ଡୀ ଓ ପେଟଛେଲା ଦୁଇ ରାଜସ୍ବ ସର୍କଲରେ ବେଆଇନ ସୌଧ ନିର୍ମାଣ ଆଗଉଥିଲେବି ତହସିଲ କର୍ତ୍ତୃପକ୍ଷ ଜାଣି ନଜାଣିଲା ଭଳି କାର୍ଯ୍ୟ କରୁଛନ୍ତି l କିଛି ମାସ ତଳେ ଉପରୋକ୍ତ ଦୁଇଗୋଟି ସର୍କଲରେ କାର୍ଯ୍ୟ କରି ନିଲମ୍ବିତ ହୋଇଥିଲେ l

ମାତ୍ର ପୂର୍ବତନ ରାଜସ୍ବ ନିରୀକ୍ଷକଙ୍କ ନିଲମ୍ବନ ପରେ ବି ପୂର୍ବ ଭଳି ଦୁଇ ସର୍କଲ ଦାୟିତ୍ୱରେ ଜଣେ ମାତ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟ କରୁଛନ୍ତି l ଯାହାକି ଜଣେ ମାତ୍ର କର୍ମଚାରୀ ଙ୍କ ପକ୍ଷେ ବିନା ସହଯୋଗୀ କର୍ମଚାରିରେ କାର୍ଯ୍ୟ କରିବା ସମ୍ଭବ ହେଉନି l ପୂର୍ବତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟ କାଳରୁ ସରକାରୀ ଜମି ଜବର ଦଖଲ ବନ୍ଦ ରହିଥିଲେ ବି ନୂତନ ରାଜସ୍ବ ନିରୀକ୍ଷକଙ୍କ ସମୟରେ ଜବର ଦଖଲର ପୁନରାବୃତ୍ତି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି l ଉଲ୍ଲେଖ ଥାଉକି ପେଟଛେଲା ସର୍କଲ ଅଧୀନ ପେଟଛେଲା ରାଜସ୍ବ ଗ୍ରାମ ର ରାମଚଣ୍ଡୀ ପୋଲ ସଂନିକଟ ୨୦୬ ଖାତାର ୧୩୯୩ ଓ ୧୩୯୪ ଦୁଇଗୋଟି ପ୍ଲଟ ଉପରେ ବହୁ ପକ୍କା ଗୃହ କାର୍ଯ୍ୟ ଆଗେଇ ଚାଲିଛି l ଏନେଇ ତହସିଲ କର୍ତ୍ତୃପକ୍ଷ ବେଆଇନ ଜବରଦଖଲ କାରୀଙ୍କୁ ମୌଖିକ ବା ଲିଖିତ ଭାବେ ବାରଣ କରିଥିଲେ ବି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି l ଏପରିକି ସରକାରୀ ଜମିରେ ବେଆଇନ ଗୃହ କାର୍ଯ୍ୟ ସାରି ଭଡାରେ ଯୋଗାଇଦିଆଯାଇଛି l ଦୁଃଖ ଓ ପରିତାପର ବିଷୟ ଦିନ ରାତି ଏକା କରି ତହସିଲ ଅଂଚଳରେ ଘୁରୁ ବୁଲୁଥିବା ତହସିଲ ଗାଡି ରେ ଫିଲଡ କୁ ଯାଉଥିବା କର୍ମଚାରୀଙ୍କୁ ଦୃଶ୍ୟମାନ ହେଲାନି କିପରି l ଅଲଗା ରାଜସ୍ବ ସର୍କଲରେ କେହି ବି ସରକାରୀ ଜମି ଦଖଲକୁ ଗଲେ ରାଜସ୍ବବିଭାଗ ତ୍ୱରିତ ପଦକ୍ଷେପ ନେଉଛି l କିନ୍ତୁ ସମ୍ପୃକ୍ତ ସର୍କଲ ରେ ସରକାରୀ ଜମି ସୁରକ୍ଷା ଦେବାରେ ପ୍ରଶାସନର କୋହଳ ମନୋଭାବକୁ ସାଧାରଣରେ ନିନ୍ଦା କରାଯାଉଛି l