ଦୁଗ୍ଧ ବୁହା ଟାଟା ଏସି ଗାଡି ମାଡିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ

ମହାକାଳପଡ଼ା,୧୧ /୧୧-(କେଶବ ଚରଣ ନାଥ) : ବୁଧବାର ଦିନ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଧl ପଞ୍ଚାୟତ ଛେଡ଼ାକଣି ଠାରେ ଅଂଚଳର ପ୍ରସିଦ୍ଧ ଠାକୁରାଣୀ ମା ନାରାୟଣୀ ପୀଠ ସ୍ଥଳୀ ନିକଟରେ ଗ୍ରାମସ୍ଥ ବନ୍ଧୁ ବାରିକଙ୍କ ଉପରକୁ ଗାଡି ମାଡିଯିବାରୁ ତାଙ୍କର ମୃତ୍ଯୁ ହୋଇଯାଇଛି । ସୂଚନାରୁ ପ୍ରକାଶ ଛେଡ଼ାକଣି ଗ୍ରାମର ବନ୍ଧୁ ବାରିକ ପ୍ରତ୍ୟେକ ଦିନ ଭଳି ଚା, ପାଣି ଖାଇ ନିଜର ବୃତ୍ତିର ମୁଠି ଧରି ପାଖ ସାଆନ୍ତମାନଙ୍କୁ ସେବା କରିବାକୁ ଯିବା ବାଟରେ ଠାକୁରାଣୀ ନିକଟରେ କେତେ ଜଣଙ୍କୁ ସେବା
କରୁଥିଲେ। ମାତ୍ର ରାସ୍ତା କଡ଼କୁ ବସି ଚୁଟି ଦାଢ଼ି କାଟୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଦୁଗ୍ଧ ବୁହା ଟାଟାଏସି ଗାଡିଟି ତାଙ୍କ ଉପରକୁ ମାଡିଯାଇଥିଲା ।

ଷାଠିଏବାଟି ଗ୍ରାମର ଓଡି 29ଜି8404ଗାଡିଟିର ଚାଳକ ଅସାବଧାନତା ବଶତଃ ମାଡିଯିବାରୁ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଉତ୍ୟକ୍ତ ଲୋକେ ଗାଡି ଅଟକାଇବାରୁ ବେଳକୁ ବେଳ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ବୁଝାସୁଝା ପରେ ଭିଡ଼ କମିବାରୁ ବନ୍ଧୁ ବାରିକଙ୍କ ନାତି ହିମାଂଶୁ ଶେଖର ବାରିକ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ । ମହାକାଳପଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ହେପାଜତକୁ ଆଣି ଥାନାରେ ଅଟକ ରଖିଛି । ସେପଟେ ମୃତକଙ୍କ ଶବକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି । ମୃତକଙ୍କର ଦୁଇ ପୁଅ ମଧ୍ୟରୁ ସାନ ପୁଅ ଦୀର୍ଘ ଦିନ ହେବ ଘର ଛାଡି ବିଦେଶ ଯାଇ ନିଖୋଜ ହୋଇ ଯାଇଛନ୍ତି । ଆଉ ଅର୍ଦ୍ଧ ପାଗଳ ତଥା ରୋଗୀଣା ଅକ୍ଷମ ବଡ଼ ପୁଅ ପରିବାରକୁ ବନ୍ଧୁ ବାରିକ ବୃଦ୍ଧା ବୟସରେ ବି ବୃତ୍ତି ସହିତ ଅନ୍ୟାନ୍ୟ କାର୍ଯ୍ୟ କରି ଚଳାଇ ଆସୁଥିଲେ । କିନ୍ତୁ ହଠାତ ଏଭଳି ଦୁର୍ଘଟଣା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ପରିବାରର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପାଗଳ ପୁଅ, ବୋହୁ, ପତ୍ନୀ, ନାତିନାତୁଣୀ ସଭିଏଁ ଆଶା ଭରସା ଶୂନ୍ୟ ହୋଇପଡିଛନ୍ତି ।