ମହାକାଳପଡ଼ାରେ ବନ୍ଦେ ମାତରମର ୧୫୦ତମ ପୂର୍ତ୍ତି ସମାରୋହ ଓ ଭତ୍ତା ଆବଣ୍ଟନ ଉତ୍ସବ

ମହାକାଳପଡ଼ା,୧୯/୧ : (ଅରକ୍ଷିତ ନାଥ) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପଞ୍ଚାୟତ ସମିତି ଗୃହରେ ‘ବନ୍ଦେ ମାତରମ’ର ୧୫୦ତମ ପୂର୍ତ୍ତି ସମାପନ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉତ୍ସବ ରେ ମହାକାଳପଡ଼ା ବିଧାୟକ ଡ଼ ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଦେଶୀ ଆପଣେଇବା, ଆତ୍ମନିର୍ଭରଶୀଳ ହେବା ଓ ବିକଶିତ ଭାରତ ଗଢ଼ିବା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ପାଠ ପଢୁଥିବା କୁନି କୁନି ଭାଇଭଉଣୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ଉପସଭାପତି ସଞ୍ଜୟ ରଥ “ମାଟି ଓ ମା ସ୍ୱର୍ଗଠାରୁ ବଡ଼ ବୋଲି ବକ୍ତବ୍ୟ ରଖିଥିଲେ । ଯେଉଁମାନେ ଏ ଦୁଇଟିକୁ ସମ୍ମାନ ଦେବେ, ସେମାନେ ନିଶ୍ଚିତ ଭାବେ ଜନ୍ମଭୂମିର ଟେକ ରଖିପାରିବେ।”ପୂର୍ତ୍ତି ସମାପନ ଉତ୍ସବ ଅବସର ରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ‘ବିକଶିତ ଭାରତ’ ଭିତ୍ତିକ ଚିତ୍ରାଙ୍କନ , ବକ୍ତୃତା ଓ କୁଇଜ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସବ ଦିବସରେ ବିଧାୟକ ଶ୍ରୀ ନାୟକ ମାନପତ୍ର ଓ କପ ପ୍ରଦାନ କରିଛନ୍ତି । କୃତି ଛାତ୍ର /ଛାତ୍ରୀ ମାନେ ବିଧାୟକ ଙ୍କ ସମ୍ମୁଖରେ ‘ବିକଶିତ ଭାରତ’ ଉପରେ ବକ୍ତୃତା ରଖିଥିଲେ ।

ପରେ ପରେ ବିଧାୟକ ୨୫୦ ଜଣ ହିତାଧିକାରୀଙ୍କୁ ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି l ମଂଚାସୀନ ବ୍ୟକ୍ତି ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ବିଡିଓ ରବିନାରାୟଣ ଆଚାର୍ଯ୍ୟ, ବାୟାବାବା କଲେଜର ଇତିହାସ ଅଧ୍ୟାପକ ଶ୍ରୀକାନ୍ତ ନନ୍ଦ, ବିଇଓ କୈଳାଶ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ରଞ୍ଜନ ପରିଡା ଓ ବିଭାଗୀୟ ଅଧସ୍ତନ କର୍ମଚାରୀ ଉମାକାନ୍ତ ଜେନା ସଭା ପରିଚାଳନା ରେ ସହଯୋଗ କରିଥିଲେ l ଏତଦ ବ୍ୟତୀତ ଅଧିକାଂଶ ପଞ୍ଚାୟତର ଜନପ୍ରତିନିଧି ବିଦ୍ୟାଳୟ ର ଶିକ୍ଷକ /ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ସହଯୋଗୀ ଭାବେ ଉପସ୍ଥିତ ଥିଲେ।