ମହାକାଳପଡ଼ା,୬ /୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ମଙ୍ଗଳପୁର ଗ୍ରାମରେ ନୃସିଂହ ଡ଼ାଳୁଆଙ୍କ ପରିବାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର – ବୋହୁ ମଧ୍ୟରେ ଥିବା ଦେବତା ଓ ପବିତ୍ର ସମ୍ପର୍କର ପାରିବାରିକ ବନ୍ଧନର ସୀମା ଡେଇଁ ନୃସିଂହ ତାଙ୍କର ଏକମାତ୍ର ପୁତ୍ର ବଧୂ ସହିତ ୨ ବର୍ଷ ହେବ ଅବୈଧ ପ୍ରେମ ସମ୍ପର୍କ ରଖିଥିଲେ । ଯାହାକୁ ନୃସିଂହଙ୍କ ପତ୍ନୀ ଅଞ୍ଜନା ବିରୋଧ କରିଆସୁଥିଲେ । ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ପୁଅର ବିବାହ ପରଠୁ ଶ୍ୱଶୁର ବୋହୁ ମଧ୍ୟରେ ପ୍ରେମ ସମ୍ପର୍କ ଜାଣିବା ପରେ ଅଞ୍ଜନା ନିଜର ପତିର ନିର୍ଯ୍ୟାତନା ସହି ନପାରି ଅଶାନ୍ତିରେ ଦିନ କାଟୁଥିଲେ । ଶାଶୁର ବିରୋଧ ଆଚରଣ ଦିନକୁ ଦିନ ତୀବ୍ର ହେବାରୁ ଗୁରୁବାର ରାତ୍ରିରେ ଅବୈଧ ପ୍ରେମୀ ଯୁଗଳ ପୁଅର ଅଗୋଚରରେ ଅଞ୍ଜନାକୁ ବିଷପିଆଇ ଦେଇଥିବାର ସାଧାରଣରେ ସନ୍ଦେହ କରାଯାଉଛି । ।

ଲୋକ ଅପଵାଦ ଭୟରେ ଦେଖାଣିଆ ଭାବେ ନୃସିଂହ ଅଞ୍ଜନାକୁ ଚିକିତ୍ସା ପାଇଁ କଟକ ଡାକ୍ତର ଖାନା ନେଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ପତ୍ନୀର ମୃତ୍ୟୁ ହୋଇଯାଇଛି । ଭଉଣୀର ମୃତ୍ୟୁକୁ ନେଇ ଅଞ୍ଜନାକୁ ମାରିଦିଯାଇଥିବା ନେଇ ଭାଇ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ମହାକାଳପଡ଼ା ପୋଲିସ ପ୍ରେମୀଯୁଗଳଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହିତ ଅନୁସନ୍ଧାନ ଜାରିରଖିଛି ।