ମହାକାଳପଡ଼ା,୧୩/୯ : କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକର ଖରିନାସି ପଂଚାୟତରେ ଦୀର୍ଘ ଦିନ ଧରି ଡ୍ରେନେଜ ବ୍ୟବସ୍ଥାରେ ସୁଧାର ନଆସିବାରୁ ପ୍ରତ୍ୟେକ ବର୍ଷ ପରି ଚଳିତ ଲଘୁଚାପ ବର୍ଷାରେ ବେହାଲ ହୋଇଛି ପଂଚାୟତର ଖାଲୁଆ ଅଂଚଳ l ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଲଘୁଚାପ ବର୍ଷା ଲାଗି ରହିବାରୁ ପଂଚାୟତ କାର୍ଯ୍ୟାଳୟ ପାଖ ୭ ନମ୍ବର, ରେଡ଼କ୍ରସ ପାଖ ୫ ,୭ ଓ ୮ ନମ୍ବର ୱାର୍ଡ ଏବଂ ୪ ନମ୍ବର ୱାର୍ଡର ଅଧିକାଂଶ ପରିବାର ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି l ଖାଲୁଆ ଅଂଚଳରେ ରହୁଥିବା କିଛି ପରିବାର ଜଳ ଘେରରେ ରହିଥିବା ବେଳେ ଆଉ ଅଳ୍ପ କିଛି ଗରିବ ପରିବାର ଅତ୍ୟଧିକ ବର୍ଷା ଜଳ ହେତୁ ରୋଷେଇ କରି ନପାରି ଭୋକ ଉପାସରେ ଦିନକାଟୁଛନ୍ତି l ମୁଖ୍ୟତଃ ଭୂମିହୀନ ପ୍ରଜା ଭାବେ ଦୀର୍ଘ ଦିନ ଧରି ସରକାରୀ ଜମିରେ ବସବାସ କରୁଥିବା ପରିବାର ସ୍ଥାୟୀ ଜମି ଜମା ପଟ୍ଟା ଅଭାବରୁ ଆବାସ ଯୋଜନାରୁ ବଂଚିତ ରହି ନୁଆଁଣିଆ ଚାଳ ଛପର ଘରେ ରହି ଦିନ କାଟୁଥିବା ବେଳେ ପ୍ରକୃତି ର ଖେଳ ସେମାନଙ୍କ ପାଇଁ ଦାଉ ସାଜିଛି l
ସେପଟେ ଜଳମଗ୍ନ ରାସ୍ତା ରେ ସାଇକେଲ ଆରୋହୀ, ବାଇକ ଓ ଚାରିଚକିଆ ଯାନ ଚାଳକ ଯାତାୟତ ନେଇ ବିପଦ ମଣୁଛନ୍ତି l ଏ ନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ୱତଃ ସ୍ପୃତଃ ଭାବେ ଅଣଓସାରିଆ ପୁରୁଣା ଡ୍ରେନ ଦେଇ ଧୀରେଧୀରେ ପାଣିଖସୁଛି l ଯାହାକି ଦିନେ ଦୁଇ ଦିନ ଲାଗିବ ୱାର୍ଡ ଗୁଡିକରେ ସ୍ୱାଭାବିକ ସ୍ଥିତି ଫେରି ଆସିବାକୁ l ଲୋକଙ୍କ କହିବା ଅନୁସାରେ ଦୀର୍ଘ ୨୦ ବର୍ଷ ତଳେ ତତ୍କାଳୀନ ଜନବସତି ଓ ପାରିପାର୍ଶିକ ଭୂମିରୂପକୁ ଅନୁଧ୍ୟାନ କରି ଅଣଓସାରିଆ ଡ୍ରେନ ପ୍ରସ୍ତୁତ ହୋଇଥିଲା l ମାତ୍ର ପରବର୍ତ୍ତୀ ସମୟରେ ଜନସଂଖ୍ୟା ବୃଦ୍ଧି ହେତୁ ଘନ ଜନବସତି ଓ ଭୂମିରୂପ ର ପରିବର୍ତ୍ତନ ଫଳରେ ପୁରୁଣା ଡ୍ରେନ ଉଦବୃତ୍ତ ଜଳନିଷ୍କାସନ କରିବାରେ ସକ୍ଷମ ହେଉନି l ଯାହା ନେଇ ଦୁଖୀ ଦରିଦ୍ର ପରିବାର ଲୋକେ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ଲଗାଣ ବର୍ଷା ଲାଗିରହିଲେ କୃତ୍ରିମ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି l ସାରା ଦେଶରେ ସ୍ଵଛଭାରତ ମିଶନ କାର୍ଯ୍ୟ ଜାରି ରହିଥିବା ବେଳେ ଖରିନାସିର କିଛି ୱାର୍ଡର ଅଧିବାସୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହେତୁ ପ୍ରତ୍ୟେକ ବର୍ଷ ଝଡି ବଢ଼ି ହେଲେ ଜଳନିଷ୍କାସନ ନେଇ ବେଶ ହୀନସ୍ତା ହୋଇ ଆସୁଛନ୍ତି l ୱାର୍ଡ ବାସୀଙ୍କ ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ଜନିତ ସମସ୍ୟା ପ୍ରତି ପଂଚାୟତ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମ୍ପୃକ୍ତ ୱାର୍ଡ ବାସୀ ସ୍ୱାଭାବିକ ଜୀବନ ଯାପନ ରେ ସହାୟ ହେବାକୁ ସାଧାରଣରେ ଦାବି ହେଉଛି l