ରୋଷେଇ ସମୟରେ ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡରେ ୪ ଆହତ, ଜଳିଗଲା ଗୋଟିଏ ବାଇକ୍

ମହାକାଳପଡ଼ା,୧୩/୯: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଟିକରପଙ୍ଗା ପଂଚାୟତର ଗତାନଈ ଗ୍ରାମର ନୁଆସାହିରେ ଘଟିଛି ଏକ ଅଘଟଣ । ଗ୍ରାମର ତ୍ରୀନାଥ ନାୟକଙ୍କ ଘରେ ରୋଷେଇ ସମୟରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ୪ ଜଣ ଆହତ ହେବା ସହିତ ଏକ ବଖରା ଘର ଏବଂ ଗୋଟିଏ ବାଇକ୍ ପୋଡି ପାଉଁଶ ହୋଇଯାଇଛି । ସୁଚନା ମୁତାବକ ତ୍ରିନାଥଙ୍କ ଘରେ ରୋଷେଇ ହେଉଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଜଳୁଥିବା ନିଆଁରେ ନିଜେ ତ୍ରିନାଥ ଓ ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ନିଆଁରେ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ମାର୍ଶାଘାଇ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଜଳୁଥିବା ସିଲିଣ୍ଡରକୁ ବହୁ ପରିଶ୍ରମ କରି କୌଶଳ କ୍ରମେ ନିଆଁକୁ ଆୟତ୍ତ କରି ଥିଲେ । ଏଭଳି ରୋଷେଇ ସମୟରେ ଗ୍ୟାସ ଲିକ୍ର ଏକାଧିକ ଘଟଣା ମହାକାଳପଡ଼ା ଅଂଚଳରେ ସାମନାକୁ ଆସୁଛି । କମ୍ପାନୀର ନିମ୍ନ ମାନର ରେଗୁଲାଟର ଓ ଗ୍ୟାସ ପାଇପ ଯୋଗୁଁ ନା କିଛି ଗ୍ରlହକଙ୍କ ବେପରୁଆ ବ୍ୟବହାର ଯୋଗୁଁ ଏଭଳି ଏକାଧିକ ଘଟଣାରେ ଧନ ଓ ଜୀବନ କ୍ଷୟ କ୍ଷତି ଘଟୁଛି l ଅଘଟଣ ଗୁଡିକର ସରକାରିବାବୁ, ବିତରକ କମ୍ପାନୀ ଓ ସ୍ଥାନୀୟ ଏଜେନ୍ସି ର ପୁଙ୍ଖାନୁପୁଙ୍ଖ ମିଳିତ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ଦାବିକରନ୍ତି l