କେନ୍ଦ୍ରାପଡା,୧୫ /୯: କେନ୍ଦ୍ରାପଡା ଜିଲ୍ଲା ଉପକୂଳ ବ୍ଲକ ମହାକାଳପଡ଼ାର ଉପାନ୍ତ ଜମ୍ବୁ ପଂଚାୟତ ୨ନମ୍ବର ୱାର୍ଡର ମୁଖ୍ୟ ରାସ୍ତାଟି ଅମାବାସ୍ୟାର ଜୁଆର ସାଙ୍ଗକୁ ଲଗାଣ ବର୍ଷା ଫଳରେ ଧୋଇ ଯାଇ ଯୋଗାଯୋଗ ବିଛିନ୍ନ ହୋଇପଡିଛି l ଜମ୍ବୁ ପଂଚାୟତ କାର୍ଯ୍ୟାଳୟଠାରୁ ଭାଟେଣୀ ଲମ୍ବି ଥିବା ପଂଚାୟତ ସମିତି ରାସ୍ତାର କାର୍ଯ୍ୟ ଠିକଣା ଭାବେ ହୋଇନଥିବାରୁ ବିଭିନ୍ନ ସମୟରେ ଲୋକେ ଯାତାୟତ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଅଳ୍ପ କିଛି ଦିନ ତଳେ ରାସ୍ତା ମଝିରେ ଜଳ ନିଷ୍କାସନ ପାଇଁ ହୋଇଥିବା କଲଭର୍ଟ ଟି ଅସରାଏ ବର୍ଷାରେ ଧୋଇ ଯାଇଥିଲା l ପରବର୍ତ୍ତୀ ସମୟରେ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ତାଗିଦ ନେଇ ଥା ମା ଭାବେ ମରାମତି ହୋଇଥିଲା l
ମାତ୍ର ଅମାବାସ୍ୟାର ଉଠିଆ ଜୁଆର ମାଡିଆସି ନବ ନିର୍ମିତ ରାସ୍ତା କୁ କିଛି ମାତ୍ରାରେ ଧୋଇ ନେବା ସହିତ ଚାଷଜମିକୁ ମାଡିରହିଥିଲା l ପରବର୍ତ୍ତୀ ସମୟରେ ଲଗାଣ ବର୍ଷା ପାଇଁ ପୁରlମାତ୍ରାରେ ଧୋଇନେଇଛି ମାଟିରାସ୍ତା ଖାଲୁଆ ସ୍ଥାନ l ଯାହା ନେଇ ଭାଟେଣୀ ଲୋକେ ସିଧା ନ ଯାଇପାରି ୪ କିଲୋମିଟରରୁ ଅଧିକ ରାସ୍ତା ବୁଲି ପଂଚାୟତ, ବଜାର ଓ ଡାକ୍ତର ଖାନା ଯିବାକୁ ପଡୁଛି l ଅନୁପଯୁକ୍ତ ସମୟରେ ଉପଯୁକ୍ତ ଭାବରେ କାର୍ଯ୍ୟ ହୋଇ ନଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି l ମୁଖ୍ୟତଃ ପଂଚାୟତର ମହିଳା ସରପଞ୍ଚଙ୍କ ପ୍ରତିନିଧି ବାହାର ଠିକାଦାର ନିଯୁକ୍ତି ପ୍ରୀତି ଓ କନିଷ୍ଠ ଯନ୍ତ୍ରୀଙ୍କ ଅଣଦେଖାରୁ ନିମ୍ନ ମାନର କାର୍ଯ୍ୟ ହୋଇଥିବା କଥା ପଂଚାୟତ ଲୋକେ କହନ୍ତି l ସରକାରୀ କଳର ସରପଞ୍ଚଙ୍କ ପ୍ରତିନିଧି ପ୍ରୀତି ଯୋଗୁ ଏଭଳି ଘଟଣା ଏକାଧିକ ବାର ଘଟୁଥିବାର ଅନୁମେୟ ହେଉଛି l