ନୂଆଦିଲ୍ଲୀ : ଦେଶର ଯୁବପିଢ଼ିଙ୍କୁ ଦୀପାବଳି ଅବସରରେ ଏକ ମେଗା ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବ୍ୟାପୀ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ମୋଦୀ ନିଯୁକ୍ତିପତ୍ର ବଣ୍ଟନ କରିବେ । ଆସନ୍ତା ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନିଯୁକ୍ତି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ପ୍ରଦାନ କରାଯିବ ।
ଏହା ମଧ୍ୟରେ ପ୍ରତିରକ୍ଷା, ରେଳ, ଡାକ ବିଭାଗ, ଗୃହ ବିଭାଗ, ସିଆଇଏସ୍ଏଫ୍, ଶ୍ରମ, ସିବିଆଇ, କଷ୍ଟମ, ବ୍ୟାଙ୍କ୍ ପ୍ରଭୃତି ବିଭାଗ ରହିଛି । ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୁବପିଢ଼ି ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶର ବିଭିନ୍ନ ସହରରୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଓଡ଼ିଶାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ୍ ମାଣ୍ଡଭିଆ, ଚଣ୍ଡିଗଡ଼ରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରରୁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ, ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶରୁ ମହେନ୍ଦ୍ର ପାଣ୍ଡେ, ଝାଡ଼ଖଣ୍ଡର କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିହାରରୁ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ।