ଆଡିଲେଡ, ୨୦/୧୨ : ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ୮ ୱିକେଟରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା ଲାଗିଛି । ଟିମର ଦୃତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ବଳକା ଟେଷ୍ଟ୍ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ଭାରତର ଦ୍ୱିତୀୟ ପାଳିରେ ପେଟ କମିନ୍ସଙ୍କ ବଲ କ୍ରିଜରେ ବ୍ୟାଟିଂ ପାଇଁ ଥିବା ମହମ୍ମଦ ସାମିଙ୍କ ଡାହାଣ ହାତରେ ମାଡ଼ ହୋଇଥିଲା । ଏହା ପରେ ତାଙ୍କୁ ପଡିଆ ଛାଡ଼ିବାକୁ ପଡ଼ିଥିଲା । ତାଙ୍କର ରିଟାୟର୍ଡ ହଟ ହେବା ପରେ ଭାରତୀୟ ପାଳି ୨୧.୨ ଓଭରରେ ୩୬ ରନରେ ସମାପ୍ତ ହୋଇଥିଲା । ଟେଷ୍ଟ ଇତିହାସରେ ଭାରତର ଏହା ଥିଲା ସର୍ବନିମ୍ନ ସ୍କୋର । ସାମିଙ୍କୁ ଏହା ପରେ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କର ହାତରେ ଆଘାତ ଲାଗିଥିବା ଜଣାପଡ଼ିଥିଲା ।
ବିସିସିଆଇ ସୂତ୍ର ଅନୁସାରେ ମହମ୍ମଦ ସାମିଙ୍କ ହାତରେ ଆଘାତ ଲାଗିଛି । ଟେଷ୍ଟ ଶୃଙ୍ଖଳାରେ ବାକି ଥିବା ଅନ୍ୟ ୩ଟି ମ୍ୟାଚରେ ସେ ଖେଳିବା ଆଶା କମ ରହିଛି । ମହମ୍ମଦ ସିରାଜ ୨ଟି ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ମେଲବୋର୍ଣ୍ଣରେ ବକ୍ସିଂ ଦିବସ ଟେଷ୍ଟରେ ସେ ପଦାର୍ପଣ କରିପାରନ୍ତି ।