ସମ୍ବିତ ପାତ୍ରଙ୍କ ବିରୋଧରେ ମୋକିମଙ୍କ ମୋକଦ୍ଦମା

କଟକ,୨୩ /୧ : ଗତବର୍ଷ ନଭେମ୍ବର ୩୦ରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟା ଘଟଣାରେ କଂଗ୍ରେସର ନଅ ବିଧାୟକଙ୍କ ବିରୋଧରେ ଶାସକ ଦଳଠାରୁ ଟଙ୍କା ଖାଇଥିବା ଭଳି ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି କଂଗ୍ରେସର ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍‌ ଡିସେମ୍ବର ୭ରେ ଶ୍ରୀ ପାତ୍ରଙ୍କ ନିକଟକୁ ଏକ ଓକିଲ ନୋଟିସ୍‌ ଜାରି କରିଥିଲେ। ଏହି ଘଟଣାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାଣି ଶ୍ରୀ ପାତ୍ର ନିଜ ପାଗଳାମିର ପରିଚୟ ଦେଇଥିଲେ। ଏହାଦ୍ବାରା କେବଳ ଯେ ବିଧାୟକମାନଙ୍କ ଆତ୍ମସମ୍ମାନରେ କ୍ଷତି ଘଟିଛି ତା’ ନୁହେଁ ପରନ୍ତୁ ଐତିହାସିକ କଟକ ସହରବାସୀଙ୍କ ସ୍ବାଭିମାନକୁ ଉପହାସ କରାଯାଇଛି। ଏତାଦୃଶ୍ୟ ଘଟଣାରେ ଡ. ପାତ୍ର ନିଜର ଅଶାଳୀନ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ବିଧାୟକ ମୋକିମ ନୋଟିସ୍‌ ଜରିଆରେ ଦାବି କରିଥିଲେ।

ଏହା ମଧ୍ୟରେ ଦେଢ ମାସ ବିତି ଯାଇଥିଲେ ମଧ୍ୟ ଶ୍ରୀ ପାତ୍ରଙ୍କ ଅପରାଧିକ କାର୍ୟ୍ୟ ପାଇଁ ଭାରତୀୟ ପିଙ୍ଗଳ କୋଡ୍‌ର ୧୮୬୦ରେ ଥିବା ୪୯୯ ଓ ୫୦୦ ଧାରା ଅନୁଯାୟୀ ଏସଡିଜେଏମଙ୍କ ଅଦାଲତରେ ଏକ ମାନହାନୀ ମୋକଦ୍ଦମା ଦାୟର କରାଯାଇଛି।