ଭୁବନେଶ୍ବର : ୩ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ଖୁବ୍ କମ୍ ରହିଛି। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ଫଳରେ ଅଗଷ୍ଟ ଆରମ୍ଭରୁ ହିଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଜୁନ୍ ୧ ତରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ୍ ୪୬୧.୬ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ୫୮୬.୮ ମିମି ବର୍ଷା ହୋଇଥାଏ। ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧% ନିଅଣ୍ଟିଆ ବର୍ଷା ହୋଇଛି। ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ରହିଛି। ସେଗୁଡ଼ିକ ହେଲା ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା। ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ରାଜ୍ୟର ୧୬ ଜିଲ୍ଲାରେ ସ୍ବାର୍ଷା ହୋଇଥିବା ବେଳେ ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏବେ ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବି ମୌସୁମୀର ଦୁର୍ବଳ ରହିବ। ତେଣୁ ୨ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ୪ ତାରିଖ ଆଡ଼କୁ ଉତ୍ତର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସୂଚନା ଦେଇଛି।