ଭୁବନେଶ୍ୱର, ୦୯/୦୪ : ଚାଷୀଙ୍କ ପାଇଁ ଖୁସି ଖବର । ଏଥର ସ୍ବାଭାବିକ ରହିବ ମୌସୁମୀ । ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି । ବିଭିନ୍ନ ମଡେଲ୍କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍-ନିନୋ ଆସିବ ନାହିଁ । ତେଣୁ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି)। ଆଇଇଡି ପଜେଟିଭ୍ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ । ଏଥର ଜୁନ୍ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍ ରହିବ । ଏପ୍ରିଲ ମାସରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ମେ’ ଓ ଜୁନ୍ରେ ସ୍ବାଭାବିକ ଏବଂ ଜୁଲାଇରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ମୌସୁମୀ ବର୍ଷା ୧୦୩ ପ୍ରତିଶତ ରହିପାରେ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏର ୮୬୮.୬ ମିଲିମିଟର ବର୍ଷା ହେବ । ସ୍କାଏମେଟର ଆକଳନ ଅନୁଯାୟୀ, ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରେ ଭଲ ମୌସୁମୀ ବର୍ଷା ହେବ । ସେହିପରି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବୃଷ୍ଟିଛାୟା ଅଞ୍ଚଳରେ ଯଥେଷ୍ଟ ବର୍ଷାର ସମ୍ଭାବନା ରହିଛି । କେରଳ, ପଶ୍ଚିମଘାଟ, କର୍ଣ୍ଣାଟକ ଉପକୂଳ ଓ ଗୋଆରେ ଅତ୍ୟଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ନାହିଁ ବୋଲି କୁହାଯାଇଛି ।